ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: କରୋନା ସଂକ୍ରମଣ ପାଇଁ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୟୁଜି ଓ ପିଜି ପରୀକ୍ଷା ଅନଲାଇନରେ ହେବ ବୋଲି ପୂର୍ବରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଘୋଷଣା କରିଥିଲେ । ତେବେ ପରୀକ୍ଷା ପ୍ରସ୍ତୁତିକୁ ନେଇ ଆଜି କୁଳପତି ସମ୍ମିଳନୀରେ ଯୋଗ ଦେଇ ଆଲୋଚନା କରି ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ । ପରୀକ୍ଷା ଦ୍ବାୟିତ୍ବ ସମ୍ପୂର୍ଣ୍ଣ ରୂପେ ଅଧ୍ୟାପକଙ୍କ ଉପରେ ନ୍ୟସ୍ତ କରିଛନ୍ତି ମନ୍ତ୍ରୀ । ସେ କହିଛନ୍ତି ଯେ, ୟୁଜି/ପିଜି ପରୀକ୍ଷା କେବଳ ଅନ୍ଲାଇନରେ ହେବ । ସମସ୍ତ ଛାତ୍ରଛାତ୍ରୀ କିଭଳି ପରୀକ୍ଷା ଦେବେ ତାହାର ଦାୟିତ୍ୱ ଅଧ୍ୟାପକ ନେବେ । ପରୀକ୍ଷା କିଭଳି ହେବ ତାହା ମନିଟରିଂ ମଧ୍ୟ ଅଧ୍ୟାପକ କରିବେ । ନିର୍ଦ୍ଦିଷ୍ଟ କଲେଜର ଅଧ୍ୟାପକ, ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ନେଇ ମେଣ୍ଟର ବ୍ୟବସ୍ଥା କରାଯିବ । କିଭଳି ସୁବିଧାରେ ପରୀକ୍ଷା ହେବ ତାହା ମେଣ୍ଟର କରାଇବେ ।
ଆବଶ୍ୟକ ହେଲେ ଅଧ୍ୟାପକମାନେ ପିଲାଙ୍କୁ କଲ କରିବେ । କେମିତି ପିଲା ପରୀକ୍ଷା ଦେବ ତାହା ନିଶ୍ଚିତ କରିବେ। ଯେଉଁ ପିଲାର କୌଣସି ଅନଲାଇନ ସୁବିଧା ନଥିବ ଓ କଲେଜଠାରୁ ଦୂରରେ ଥିବ, ସେ ଘର ପାଖ କଲେଜରେ ଚାହିଁଲେ ପରୀକ୍ଷା ଦେଇପାରିବ । ଯଦି କେହି ପିଲା ପରୀକ୍ଷା ଦେଇନପାରିବେ ତାଙ୍କୁ ଭବିଷ୍ୟତରେ ପୁଣି ସୁଯୋଗ ଦିଆଯିବ ବୋଲି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି ।