ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ପବିତ୍ର ସ୍ନାନ ପୂର୍ଣ୍ଣିମା ଦିବସରେ ଓମ୍ଫେଡ ଦୁଗ୍ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୋଭିଡ ସହାୟତା ଘୋଷଣା କରିଛନ୍ତି । ପ୍ରତି ଦୁଗ୍ଧ ଚାଷୀଙ୍କୁ ଗୋଖାଦ୍ୟ ଖର୍ଚ୍ଚ ବାବଦ ସର୍ବାଧିକ ୬୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯିବ । ଏଥିରେ ରାଜ୍ୟସରକାରଙ୍କ ପ୍ରାୟ୧୧ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଏହି ସହାୟତା ରାଶି ପାଇଁ ରାଜ୍ୟର ପ୍ରାୟ ୧ ଲକ୍ଷ ୨୦ ହଜାର ଦୁଗ୍ଧ ଚାଷୀ ଉପକୃତ ହେବେ ।
ଏହି ଘୋଷଣା ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୋଭିଡ ମହାମାରୀ ଓଡିଶା ସମେତ ସାରା ବିଶ୍ବରେ ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପକାଇଛି । ଅର୍ଥନୀତିର ପ୍ରାୟ ଅନ୍ୟ ସମସ୍ତ କ୍ଷେତ୍ର ମାନ୍ଦା ଅବସ୍ଥାରେ ଥିବାବେଳେ, କେବଳ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ସଂଜୀବନୀ ପରି ଆମ ଅର୍ଥନୀତିକୁ ଶକ୍ତି ଯୋଗାଇଛି ।
ସେ ଆଉ ମଧ୍ୟ କହିଛନ୍ତି ଯେ, ଗ୍ରାମ୍ୟ ଅର୍ଥନୀତିରେ ଦୁଗ୍ଧ ଚାଷ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଏବଂ ଛୋଟ ଓ ନାମମାତ୍ର ଚାଷୀଙ୍କ ଜୀବନଜୀବିକାରେ ବିଶେଷ ସହାୟକ ହୋଇଥାଏ । କୋଭିଡ ମହାମାରୀ ପରିପ୍ରେକ୍ଷୀରି ଦୁଗ୍ଧ ଓ ଦୁଗ୍ଧ ଜାତ ଦ୍ରବ୍ୟ ଚାହିଦାରେ ବଡ ଧରଣର ହ୍ରାସ ଘଟିଥିବାରୁ, ଏହା ଦୁଗ୍ଧ ଚାଷୀଙ୍କ ଜୀବିକାକୁ ଗୁରୁତର ଭାବରେ ପ୍ରଭାବିତ କରିଛି ଏବଂ ଏହାକୁ ଦୃଷ୍ଟିରେ ରଖି ଚାଷୀମାନଙ୍କୁ ସହାୟତା ରାଶି ପ୍ରଦାନ କରାଯାଉଛି ।
ତେବେ ଲକ୍ଡାଉନ ଏବଂ ସଟ୍ଡାଉନ ସମୟରେ ଚାଷୀମାନଙ୍କର ଦୁଗ୍ଧ ଉତ୍ପାଦନ କାର୍ଯ୍ୟ ପାଇଁ, ମୁଖ୍ୟମନ୍ତ୍ରୀ ସେମାନଙ୍କର ଉଚ୍ଚପ୍ରଶଂସା କରିଛନ୍ତି ଏବଂ ଏହି ସହାୟତା ରାଶି ଚାଷୀଙ୍କ ଆର୍ଥିକ ଉନ୍ନତିରେ ସହାୟକ ହେବ ବୋଲି ଆଶାପ୍ରକାଶ କରିଛନ୍ତି ।