ସନଷ୍ଟାର ଟିଭି ବ୍ୟୁରୋ
କଟକ: ଜୁଲାଇ ଶେଷ ସପ୍ତାହରୁ ଅନ୍ଲାଇନ ମୋଡରେ ଆରମ୍ଭ ହେବାକୁ ଯାଉଛି ରେଭେନ୍ସା ବିଶ୍ବବିଦ୍ୟାଳୟରେ ୟୁଜି ଓ ପିଜି ପରୀକ୍ଷା । ପରୀକ୍ଷା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ମିଳିଛି । ତେବେ ୨୦ ଜଣ ପିଲାଙ୍କ ପାଇଁ ଜଣେ ଲେଖାଏଁ ଅଧ୍ୟାପକ ପରୀକ୍ଷକ ଭାବେ ନିୟୋଜିତ ରହି ପରୀକ୍ଷା ତଦାରଖ କରିବେ । ଛାତ୍ରଛାତ୍ରୀମାନେ ଭିଡ଼ିଓ କଲରେ ରହି ପରୀକ୍ଷା ଦେବେ । ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସମ୍ବନ୍ଧୀୟ ସୂଚନା ହ୍ୱାଟସ୍ଆପ୍ ଗ୍ରୁପ୍ରେ ଦିଆଯିବ । ପରୀକ୍ଷାର ୫ ମିନିଟ୍ ପୂର୍ବରୁ ଇ-ମେଲରେ ପ୍ରଶ୍ନପତ୍ର ପଠାଯିବ । ଛାତ୍ରଛାତ୍ରୀ ଇ-ମେଲରୁ ପ୍ରଶ୍ନପତ୍ର ଡାଉନ୍ଲୋଡ୍ କରି ପରୀକ୍ଷା ଦେବେ ।
ତେବେ ଗତକାଲି ରେଭେନ୍ସା ବିଶ୍ବବିଦ୍ୟାଳୟର ସମସ୍ତ ବିଭାଗର ବିଭାଗୀୟ ମୁଖ୍ୟଙ୍କୁ ନେଇ କୁଳପତି ପ୍ରଫେସର ସଞ୍ଜୟ କୁମାର ନାୟକ ଅନ୍ଲାଇନ୍ ମାଧ୍ୟମରେ ଏକ ବୈଠକ କରିଥିଲେ । ଅନ୍ଲାଇନ୍ରେ କେମିତି ପରୀକ୍ଷା ହେବ, ବିଶ୍ୱବିଦ୍ୟାଳୟ ନିକଟରେ କ’ଣ ସୁବିଧା ରହିଛି ଏବଂ ପରୀକ୍ଷା ପାଇଁ ଆଉ କ’ଣ ବ୍ୟବସ୍ଥା କରାଯିବ ସେନେଇ ବିଭାଗୀୟ ମୁଖ୍ୟମାନଙ୍କ ସହିତ ଆଲୋଚନା କରିଥିଲେ । ରାଜ୍ୟ ବାହାରେ ଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ କ’ଣ ବ୍ୟବସ୍ଥା କରାଯିବ, ସେମାନେ କେମିତି ଅନ୍ଲାଇନ୍ ମାଧ୍ୟମରେ ପରୀକ୍ଷା ଦେଇପାରିବେ ସେ ବିଷୟରେ ଆଲୋଚନା କରିଥିଲେ । ପାଠପଢ଼ା କେତେ ପ୍ରତିଶତ ହୋଇଛି । ଆଉ କେତେ ପ୍ରତିଶତ ପାଠପଢ଼ା ବାକି ଅଛି । ସୁବିଧା ଅସୁବିଧା କଥା ପଚାରି ବୁଝିଥିଲେ । ପରୀକ୍ଷା ପୂର୍ବରୁ କୋର୍ସ ଶେଷ କରିବା ସହ ପାଠକୁ ଆଉ ଥରେ ରିଭିଜନ କରିବାକୁ ପରାମର୍ଶ ଦେଇଥିଲେ ।