ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଡିସେମ୍ବରରେ କରୋନାର ସ୍ଥିତିକୁ ଦେଖି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିନ୍ତାପ୍ରକଟ କରିଛନ୍ତି । ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଜାରି ରହିଛି ।ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ଦେଶର ସବୁଠୁ ଅଧିକ ସଂକ୍ରମଣ ହୋଇଥିବା ୮ ଟି ରାଜ୍ୟ କେରଳ, ପଶ୍ଚିମବଙ୍ଗ, ହରିୟାନା, ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର ଓ ଛତିଶଗଡର ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚୁଆଲ ବୈଠକରେ ଆଲୋଚନା କରିବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ଆଜି ଏହି ୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇଟି ବୈଠକ କରିବେ । ଭିଡିଓ କନଫେରେନ୍ସ ମାଧ୍ୟମରେ ପ୍ରଥମ ବୈଠକ ଏହି ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ସକାଳ ୧୦ଟା ୩୦ରୁ ୧୨ଟା ପର୍ଯ୍ୟନ୍ତ ହେବ । ଦ୍ୱିତୀୟ ବୈଠକ ଦିନ ୧୨ଟାରେ ଆରମ୍ଭ ହେବ । ଏଥିରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ବା ପ୍ରତିନିଧିମାନେ ସାମିଲ ହେବେ । କରୋନା ମୁକାବିଲା ସହ ଉନ୍ନତ ସ୍ଵାସ୍ଥ ଉପରେ ଏହି ବୈଠକରେ ଆଲୋଚନା କରାଯିବା ସହ କୋଭିଡ୍-୧୯ ଭ୍ୟାକ୍ସିନ୍ ବଣ୍ଟନ ନେଇ ଆଲୋଚନା କରାଯିବ । କରୋନା ଟିକା ବିତରଣ ନେଇ କିଭଳି ରଣନୀତି ପ୍ରସ୍ତୁତ କରାଯିବ ତା’ଉପରେ ମଧ୍ୟ ଆଲୋଚନା ହେବ ।
୬ ମାସ ଭିତରେ କରୋନା ମହାମାରୀକୁ ମୋଦି ଅନେକ ଥର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଦେଶରେ ଏବେ ପ୍ରତିଦିନ ପ୍ରାୟ ୩୦ ହଜାରରୁ ୪୭ ହଜାର ପର୍ଯ୍ୟନ୍ତ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୭,୯୭୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ଆରୋଗ୍ୟ ହୋଇଛନ୍ତି ୪୨,୩୧୪ ଓ ମୃତ୍ୟୁ ସଂଖ୍ୟା ୪୮୦ ଅଟେ ।