ସନଷ୍ଟାର ଟିଭି ବ୍ୟୁରୋ
କଟକ : କରୋନା ମହାମାରୀ ସହ ଲଢେଇକୁ ଆହୁରୀ ଜୋରଦାର କରିଛି ଓଡିଶା । ପ୍ରସ୍ତୁତ କରିବାକୁ ଯାଉଛି ଅଟୋ ଡିଜେବୁଲ ସିରିଞ୍ଜ । ଏବେ ସାରାଭାରତକୁ ଓଡ଼ିଶା ଯୋଗାଇ ପାରିବ ୦.୫ ଏମ୍ଏଲ୍ ଏ.ଡି(ଅଟୋ ଡିଜେବୁଲ) ସିରିଞ୍ଜ୍ । ଭୁବନେଶ୍ବରର ପଟିଆସ୍ଥିତ ନୋବେଲ ଫାର୍ମା କେୟାର ଲିମିଟେଡ୍ର ଏମ୍ଡି ସୁବ୍ରତ ଗରାବଡୁ ଏଭଳି ସିରିଞ୍ଜ୍ ପ୍ରସ୍ତୁତ କରିବା ସହ ଏଥିପାଇଁ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଂଟ୍ରୋଲ ଅର୍ଗାନାଇଜେସନ୍( ସିଡିଏସ୍ସିଓ)ର ଅନୁମୋଦନ କ୍ରମେ ଓଡ଼ିଶା ସରକାରଙ୍କ ଠାରୁ ଅନୁମତି ପାଇଥିବା ଜଣାପଡିଛି ।
ସାରା ଭାରତରେ ମାତ୍ର ୩ଟି ଏଡି ସିରିଞ୍ଜ୍ ପ୍ରସ୍ତୁତକାରୀ ସଂସ୍ଥା ରହିଛନ୍ତି, ଯେଉଁମାନଙ୍କଠାରୁ ୮୦ପ୍ରତିଶତ ସିରଞ୍ଜ୍ କେନ୍ଦ୍ର ସରକାର ନେଉଥିବାବେଳେ ବଳକା ୨୦ ପ୍ରତିଶତ ବିଦେଶକୁ ଯାଉଛି। ଏହାଫଳରେ ଟିକାକରଣ କାର୍ଯ୍ୟକ୍ରମରେ ଟିକା ଥିଲେ ସୁଦ୍ଧା ସିରିଞ୍ଜ୍ର ଅଭାବ ହୁଏତ ଦେଖିବାକୁ ମିଳିପାରେ । ନୋବେଲ ଫାର୍ମା କେୟାର ବିଗତ ୨୦ ବର୍ଷ ହେଲା ଜର୍ମାନ ଜ୍ଞାନକୌଶଳରେ ଓଡିଶାରେ ସିରିଞ୍ଜ୍ ଉତ୍ପାଦନ କରି ଦେଶ ବିଦେଶକୁ ଯୋଗାଇ ଆସୁଛି। ଏହି ସଂସ୍ଥା ବିଭିନ୍ନ ପ୍ରକାର ସିରିଞ୍ଜ ପ୍ରସ୍ତୁତ କରୁଥିବାବେଳେ ଏସବୁକୁ ଏମ୍ସ, ରେଳବାଇ, ଅନେକ ରାଜ୍ୟ ସରକାର ତଥା ବିଭିନ୍ନ ମେଡିକାଲକୁ ଯୋଗାଣ କରାଯାଉଛି। ଉଦ୍ୟୋଗରେ ଏଡି ସିରଞ୍ଜ ପ୍ରସ୍ତୁତ ହେବାର ବ୍ୟବସ୍ଥା ଥିଲେ ମଧ୍ୟ ଏଥିପାଇଁ ଲାଇସେନ୍ସ ମିଳି ନ ଥିବାରୁ ନୋବେଲ ଫାର୍ମା କେୟାର ଲିମିଟେଡ୍ ଏହି ସିରିଞ୍ଜ୍ ଉତ୍ପାଦନ କରୁ ନ ଥିଲା। କିନ୍ତୁ ତିନିଦିନ ତଳେ ଉକ୍ତ ସଂସ୍ଥାକୁ ଏଡି ସିରିଞ୍ଜ୍ ଉତ୍ପାଦନ ପାଇଁ ସିଡିଏସ୍ସିଓ ଅନୁମୋଦନ କ୍ରମେ ରାଜ୍ୟ ସରକାରଙ୍କ ଅନୁମତି ମିଳିଥିବା ଜଣାପଡିଛି । କୋଭିଡ୍ ଟିକାକରଣ କାର୍ଯ୍ୟରେ ଟିକା ପ୍ରଦାନ ସମୟରେ ବ୍ୟବହୃତ ହେଉଥିବା ୦.୫ଏମ୍ଏଲ୍ ଅଟୋ ଡିଜେବୁଲ ବା ଏଡି ସିରିଞ୍ଜ ଏବେ ରାଜ୍ୟରେ ପ୍ରସ୍ତୁତ ହେବା ସହ ଓଡିଶା ସମେତ ସାରା ଭାରତକୁ ଏହି ସିରଞ୍ଜ ଯୋଗାଇଦେବା ପାଇଁ ଉକ୍ତ ସଂସ୍ଥା ଯୋଜନା ରଖିଛି ।ଯାହା ଫଳରେ ଟିକାକରଣ କାର୍ଯ୍ୟକ୍ରମ ଆହୁରୀ ବ୍ୟାପକ ହୋଇପାରିବ ।