ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଗତବର୍ଷ କରୋନା ମହାମାରୀ ସମୟରେ ଚର୍ଚ୍ଚା ଘେରକୁ ଆସିଥିବା ବାବା କା ଢାବାର ମାଲିକ କାନ୍ତା ପ୍ରସାଦ ଆତ୍ମହତ୍ୟା କରିବାର ଉଦ୍ୟମ କରିଛନ୍ତି । ଦିଲ୍ଲୀର ମାଲବୀୟ ନଗରରେ ରହୁଥିବା କାନ୍ତା ପ୍ରସାଦ ମଦ୍ୟପାନ କରି ନିଦ ମେଡିସିନ ଖାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ।
ସୂଚନା ଅନୁସାରେ, ଏହି ଘଟଣା ଗତକାଲି ରାତି ପ୍ରାୟ 10 ଟା ସମୟରେ ଘଟିଛି । ତେବେ ତାଙ୍କୁ ତୁରନ୍ତ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଆଜି ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ସୂଚନା ରହିଛି । ତେବେ ପୁଲିସ ସେଠାରେ ପହଞ୍ଚି ଘଟଣାର ତଦନ୍ତ କରିଛି ।
ସୂଚନାଯୋଗ୍ୟ, ସାମାନ୍ୟ ଢାବାର ମାଲିକ ହୋଇ ଗତବର୍ଷ ମହାମାରୀ ସମୟରେ ରାତାରାତି ଷ୍ଟାର୍ ବନିଯାଇଥିଲେ କାନ୍ତା ପ୍ରସାଦ ।ଗୌରବ ନାମକ ଜଣେ ୟୁଟ୍ୟୁବରଙ୍କ ତାଙ୍କ ଢାବାର ଏକ ଭିଡିଓ ବନାଇଥିଲେ । ଯାହା ବେଶ୍ ଭାଇରାଲ ହୋଇଥିଲା । ପୂର୍ବରୁ ତାଙ୍କ ଢାବାରେ ବେଶୀ ଖାଦ୍ୟ ବିକ୍ରି ହେଉନଥିଲା କିନ୍ତୁ ସେହି ୟୁଟ୍ୟୁବରଙ୍କ ଅପିଲ ପାଇଁ ତାଙ୍କ ନିକଟକୁ ଲୋକମାନଙ୍କ ସୁଅ ଛୁଟିଥିଲା ଓ ସେ ରାତାରାତି ଷ୍ଟାର ବନିଯାଇଥିଲେ । କିନ୍ତୁ ପରେ ପଇସା ହେରଫେର ନେଇ କାନ୍ତା ପ୍ରସାଦ, ଗୌରବଙ୍କ ଉପରେ ଅଭିଯୋଗ ଆଣିଥିଲେ । ତେବେ ପୁଣି ଲକଡାଉନ ହେବାରୁ କାନ୍ତା ପ୍ରସାଦଙ୍କ ବ୍ୟବସାୟ ଉପରେ ବେଶ୍ ପ୍ରଭାବ ପଡିଥିଲା ଓ ତାଙ୍କ ଦ୍ବାରା ଖୋଲା ଯାଇଥିବା ଏକ ରେଷ୍ଟୁରାଂ ବନ୍ଦ ହୋଇଯାଇଥିଲା । ଯେଉଁଥିପାଇଁ ସେ ବହୁତ ମାନସିକ ଚାପରେ ରହୁଥିଲେ ସୂଚନା ମିଳିଥିଲା ।