ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଓଡିଶାରେ ନବଜାଗରଣର ପୁରୋଧା ତଥା ନବନିର୍ମାତାର ଉତ୍କଳର ସୁତ୍ରଧର ଗୋପବନ୍ଧୁ ଦାସ ଆଜିର ଦିନରେ କୋଟି କୋଟି ଓଡିଆ ଆଖିକୁ ଲୁହ ସାଗରରେ ଭିଜାଇ ଦେଇ ଅଫେରା ରାଇଜକୁ ଚାଲି ଯାଇଥିଲେ । ୧୯୨୮ ମସିହା ଆଜିର ଦିନରେ ସନ୍ଧ୍ୟା ଘ.୭-୨୫ମିନିଟରେ ଗୋପବନ୍ଧୁ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ । ଗୋପବନ୍ଧୁ ଦାସ, ଯାହାଙ୍କର ଜନ୍ମ ପିତା ଦୈତାରି ଦାସ ଓ ମାତା ସ୍ୱର୍ଣ୍ଣମୟୀ ଦେବୀଙ୍କ ଔରସରୁ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ୧୮୭୭ ମସିହା ଅକ୍ଟୋବର ମାସ ୯ ତାରିଖରେ ହୋଇଥିଲା । ଯିଏ ଜାତିରେ ବ୍ରାହ୍ନଣ ଥିଲେ ମଧ୍ୟ ନିଜକୁ ସେବକ ସଜାଇ ଦାଶରୁ ଦାସ ରୂପେ ନିଜକୁ ପରିଚୟ ଦେଇଥିଲେ । ତାଙ୍କର ଜୀବନର ଲକ୍ଷ୍ୟ, କର୍ମ ଥିଲା ଦୁଃଖି ଦାରିଦ୍ରଙ୍କ ସେବା କରିବା । ସେବା କରିବା ପାଇଁ ସେ ପୁରୀ ସେବା ସମିତି ଗଠନ କରି, ସେ ଆପଣା ଜୀବନକୁ ବିପନ୍ନ କରି ସାଥୀମାନଙ୍କ ସହ ରୋଗୀସେବା, ପରିବେଶ ପରିଚ୍ଛନ୍ନ ଓ ଶବସଂସ୍କାର ଇତ୍ୟାଦି କାମରେ ଲାଗିପଡ଼ିଥିଲେ ।
ଗୋପବନ୍ଧୁ ଦାସ ମାତ୍ର ୧୨ ବର୍ଷ ବୟସରେ ଅପତୀ ଦେବୀଙ୍କୁ ବିବାହ କରିଥିଲେ । ବିବାହ ପରେ ମଧ୍ୟ ସେ ପାଠ ପଢ଼ା ଜାରିରଖିଥିଲେ । ପୁରୀରୁ ମାଟ୍ରିକ ପାସ କରି, ସେ କଟକର ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କଲେ । କଟକରେ ଅଧ୍ୟୟନ ସମୟରେ ଓଡ଼ିଆ ଭାଷାର ବିଲୋପ ଚକ୍ରାନ୍ତ ବିରୋଧରେ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଗୋପବନ୍ଧୁ, ‘କର୍ତ୍ତବ୍ୟ ବୋଧିନୀ ସମିତି’ ଗଠନ କରି ଓଡ଼ିଆ ଭାଷା ବିଲୋପର ତୀବ୍ର ପ୍ରତିବାଦ କଲେ । ତାଙ୍କର ଆହ୍ୱାନ ଥିଲା, ‘ପ୍ରତ୍ୟେକ ବ୍ୟକ୍ତି ଓ ଜାତିର ପରିଚୟ ହେଉଛି ତାହାର ଭାଷା । ଭାଷାହିଁ ଜାତିର ପ୍ରାଣସ୍ପନ୍ଦନ ।’ ରମ୍ଭାଠାରେ ରାମଚନ୍ଦ୍ର ଦାଶ ଓ ଗୋପବନ୍ଧୁଙ୍କ ଉଦ୍ୟମରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ଅନୁଷ୍ଠିତ ହେଲା । ୧୯୦୩ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କଦ୍ୱାରା ଆହୂତ ଉତ୍କଳ ସମ୍ମିଳନୀରେ ଗୋପବନ୍ଧୁ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହି ସମୟରେ, ତାଙ୍କର ପ୍ରଥମ ପୁତ୍ରସନ୍ତାନଟିର ମୃତ୍ୟୁ ଘଟିଥିଲା । ଏହିପରି ନାନାଦି ବାଧାବିଘ୍ନ ସତ୍ତ୍ୱେ ସେ ୧୯୦୪ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ବିଏ ପାସ କଲେ ଓ କଲିକତାରେ ବିଏଲ ପଢ଼ିଲେ ।ସେଠାରେ ପ୍ରବାସୀ ଓଡ଼ିଆଙ୍କ ଦୁଃଖଦୁର୍ଦ୍ଦଶାରେ ବ୍ୟଥିତ ହୋଇ, ସେ ‘ଓଡ଼ିଆ ଶ୍ରମିକ ସଂଘ’ ଓ ‘ସାନ୍ଧ୍ୟ ବିଦ୍ୟାଳୟ’ ପ୍ରତିଷ୍ଠା କରିଥିଲେ । ଇତି ମଧ୍ୟରେ ତାଙ୍କର ଦ୍ୱିତୀୟ ପୁତ୍ରଟିର ମଧ୍ୟ ମୃତ୍ୟୁ ଘଟିଥିଲା । ଏପରିକି, ଯେଉଁଦିନ ସେ ବିଏଲ ପାସ କରିଛନ୍ତି ବୋଲି ଖବର ପାଇଥିଲେ, ସେହିଦିନ ତାଙ୍କୁ ନିଜ ପତ୍ନୀଙ୍କର ମୃତ୍ୟୁ ସମ୍ବାଦ ମଧ୍ୟ ମିଳିଥିଲା । ଏତେ ସବୁ ଦୁଃଖ କିନ୍ତୁ ତାଙ୍କୁ ନିଜ କର୍ମରୁ ବିଚ୍ୟୁତ କରିପାରିନଥିଲା ।
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ଯୋଗଦାନ ଅତୁଳନୀୟ ରହିଥିଲା । ଆଧୁନିକ ଯୁଗର ପଞ୍ଚସଖାମାନଙ୍କ ମଧ୍ୟରେ ସେ ଅନ୍ୟତମ ଥିଲେ । ଭକ୍ତକବି, ମଧୁସୂଦନ ରାଓଙ୍କ ନିଷ୍ପତି କ୍ରମେ, ଗୋପବନ୍ଧୁ ସାକ୍ଷୀଗୋପାଳର ବକୁଳ ଓ ଛୁରିଆନା କୁଞ୍ଜରେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ୧୯୨୮ ମସିହାରେ ଲୋକସେବକ ମଣ୍ଡଳର ବୈଠକରେ ଯୋଗଦାନ କରିବା ପାଇଁ, ଲାହୋର ଯିବାବାଟରେ, ଗୋପବନ୍ଧୁ କଲିକତାଠାରେ ଆନ୍ତ୍ରିକ ଜ୍ୱରରେ ଆକ୍ରାନ୍ତ ହୋଇ ସତ୍ୟବାଦୀ ଫେରିଆସିଥିଲେ । ଦିନକୁ ଦିନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଥିଲା । ସେ ଥିଲେ ‘ସମାଜ’ ସମ୍ବାଦପତ୍ରର ପ୍ରତିଷ୍ଠାତା ।