ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: କୋଭିଡ୍ କଟକଣା ମଧ୍ୟରେ ମାତ୍ର 7 ଜଣ ସେବାୟତଙ୍କୁ ନେଇ ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପାଣିଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଏହି ଦେବ ବିବାହର ପ୍ରାଥମିକ ପର୍ବ ମଙ୍ଗଳକୃତ୍ୟ ବିଧିମତେ ସମ୍ପନ୍ନ ହୋଇଛି । ମହାପ୍ରଭୁଙ୍କ ଏହି ଅନନ୍ୟ ବିବାହ ଉତ୍ସବରେ ଯୋଗଦେବା ପାଇଁ ଦଶ ଦିଗପାଳ, ତେତ୍ରିଶ କୋଟି ଦେବତାଙ୍କୁ ନିମନ୍ତ୍ରଣ କରାଯାଇଛି । ଏହି ଅବସରରେ ଅନୁଷ୍ଠିତ ଟେରାଫିଟା ନୀତି ସମାପନ ପରେ ସେବାୟତଗଣ ମନ୍ଦିର ବେଢ଼ାରେ ବିରାଜିତ ଅଷ୍ଟଶମ୍ଭୁଙ୍କୁ ପୂଜାର୍ଚ୍ଚନା କରି ବିବାହରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ । ଅନୁରୂପ ଭାବେ ଠାକୁରଙ୍କ ଅଷ୍ଟଚଣ୍ଡୀ ଭାବେ ପରିଚିତ ଠାକୁରାଣୀଙ୍କୁ ସେବାୟତଗଣ ବିଧିମତେ ନିମନ୍ତ୍ରଣ କରିଥିଲେ । ଆଜି ସନ୍ଧ୍ୟାରେ ମହାପ୍ରଭୁ ମା’ ପାର୍ବତୀଙ୍କ ପାଣି ଗ୍ରହଣ ଲାଗି କେଦାରଗୌରୀ ମନ୍ଦିରରେ ବିଜେ କରିବେ । ସେଠାରେ ବିଜେ ମଣ୍ଡପରେ ଠାକୁରାଣୀଙ୍କ ସହିତ ବିବାହ ଅନୁଷ୍ଠିତ ହେବ । ଏହାପରେ ବୁଧବାର ସନ୍ଧ୍ୟାରେ ଦେବ ଦମ୍ପତି ବିମାନରେ ଗମ୍ଭୀରା ପ୍ରତ୍ୟାବର୍ତ୍ତନ କରିବେ ।