ସନଷ୍ଟାର ଟିଭି ବ୍ୟୁରୋ
ପୁରୀ: ରୁପାରେ ଝଲସିବ ଶ୍ରୀମନ୍ଦିରର ଆଠଟି ଦ୍ୱାର । ଶ୍ରୀମନ୍ଦିରର ବେହରଣ ଦ୍ୱାର, କଳାହାଟ ଦ୍ୱାର, ଜୟବିଜୟ ଦ୍ୱାର, ସାତ ପହାଚ ଦ୍ୱାର ସହ ପ୍ରଥମ ଦଫାରେ ଶ୍ରୀମନ୍ଦିର ଭିତରେ ୮ଟି ଦ୍ୱାର ରୁପା ଛାଉଣି ହେବ । କବାଟ ନିର୍ମାଣ ପ୍ରକ୍ରିୟା ଗତକାଲିଠୁ ଆରମ୍ଭ ହୋଇଛି । ରୁପା ଦ୍ୱାରଗୁଡିକର କାଠ ଫ୍ରେମ ନିର୍ମାଣ ପାଇଁ କାରିଗର ପହଞ୍ଚିବା ପରେ ରବିବାର ନୀଳାଦ୍ରି ଭକ୍ତ ନିବାସରେ ନର୍ମାଣ ଅନୁକୂଳ ପର୍ବ ହୋଇଛି । ରୁପା କବାଟର କାଠ ଫ୍ରେମ ନିର୍ମାଣ ପାଇଁ ରାଜ୍ୟ ବାହାରୁ ଛଅ ଜଣ କାରିଗର କାମ କରିବେ ।
ପ୍ରଥମ ପର୍ଯ୍ୟାୟରେ ଶ୍ରୀମନ୍ଦିର କଳାହାଟ ଦ୍ୱାର, ବେହରଣ ଦ୍ୱାର ଏବଂ ଜୟ ବିଜୟ ଦ୍ୱାରରେ ରୁପା ଚାଦର ଦେବା କାର୍ଯ୍ୟ ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବା ପରେ ସମ୍ପନ୍ନ କରାଯିବ । ନିର୍ମାଣ ହେବାକୁ ଥିବା ଆଠଟି ଦ୍ୱାରରେ ୨୪୦୦ କିଲୋ ରୁପା ବିନିଯୋଗ ହେବ ବୋଲି ବୈଠକରେ ବିଶେଷଜ୍ଞମାନେ ଆକଳନ କରିଛନ୍ତି ।