ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବାହରେ ରାଜ୍ୟରେ ଆରମ୍ଭ ହୋଇଯାଇଛି ବର୍ଷା । ଗତ 24 ଘଣ୍ଟା ମଧ୍ୟରେ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ଆଗକୁ ବର୍ଷାର ପରିମାଣ ଆହୁରୀ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଉତ୍ତର -ପଶ୍ଚିମ ବଙ୍ଗୋପସାଗର ଏବଂ ତାର ଆଖପାଖ ଓଡିଶା ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ଲଘୁଚାପ ସକ୍ରିୟ ହୋଇଥିବାରୁ ଏହି ବର୍ଷା ଲାଗିରହିଛି ।
ତେବେ ରାଜ୍ୟର ଯାଜପୁର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ୱଲପୁର, ବଲାଙ୍ଗୀର, ସୋନପୁର ଏବଂ ବୌଦ୍ଧ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡିକୁ ଅରେଂଜ ଓ୍ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ । ମାଲକାନିଗିର,କୋରାପୁଟ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ନୟାଗଡ, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ନୂଆପଡା, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ ଜିଲ୍ଲା ପ୍ରତି ୟେଲୋ ଓ୍ୱାର୍ଣ୍ଣି ଜାରି କରାଯାଇଛି ।
ସମ୍ୱଲପୁର, ସୋନପୁର, ବଲାଙ୍ଗିର, ବୌଦ୍ଧ, ବରଗଡ, ଅନୁଗୁଳ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣି ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହି ଜିଲ୍ଲା ଗୁଡିକରେ କିଛି ସ୍ଥାନରେ ପ୍ରବଳ ବର୍ଷା ସହ ପାଣି ଜମିବା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ।ସେଥିପ୍ରତି ସତର୍କତା ଅବଲମ୍ୱନ କରିବାକୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।