ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆସନ୍ତା କାଲି ଜିଏସ୍ଟି ପରିଷଦର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ କୋଭିଡ ଏବଂ ବ୍ଲାକ୍ ଫଙ୍ଗସ୍ ରୋଗର ଚିକିତ୍ସା ପାଇଁ ଉଦ୍ଦିଷ୍ଟ ମେଡିସିନ ତଥା ଏ ସଂକ୍ରାନ୍ତ ଅନ୍ୟ ଆବଶ୍ୟକ ସାମଗ୍ରୀରୁ ଟିକସ କମାଇବା ବାବଦରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ।
ତେବେ ଏହା ପୂର୍ବରୁ ମେ ୨୮ ତାରିଖରେ ହୋଇଥିବା ଜିଏସଟି ପରିଷଦ ବୈଠକରେ କୋଭିଡ ସାମଗ୍ରୀ ଯେପରିକି ପିପିଇ କିଟ୍, ମାସ୍କ ଓ ଟିକା ଆଦି ଟିକସ ହ୍ରାସ ବାବଦରେ ସମ୍ଭାବ୍ୟ ସୁପାରିସ ପ୍ରଦାନ ଲାଗି ରାଜ୍ୟ ମନ୍ତ୍ରୀ ମଣ୍ଡଳକୁ ନେଇ ଏକ ମନ୍ତ୍ରୀ ଗୋଷ୍ଠୀ ଗଠନ କରାଯାଇଥିଲା । ମନ୍ତ୍ରୀଗୋଷ୍ଠୀ ଏହାର ରିପୋର୍ଟ ଜୁନ ୭ ତାରିଖରେ ପ୍ରଦାନ କରିଛି । ଏହି ରିପୋର୍ଟ ଉପରେ ଆଲୋଚନା ଆଗାମୀ ବୈଠକରେ ହେବ । ତେବେ ମନ୍ତ୍ରୀଗୋଷ୍ଠୀରେ ଥିବା କେତେକ ରାଜ୍ୟର ଅର୍ଥମନ୍ତ୍ରୀ କୋଭିଡ ସାମଗ୍ରୀରୁ ଟିକସ ହାର ହ୍ରାସ ସପକ୍ଷରେ ମତ ଦେଇଥିବା କୁହାଯାଉଛି ।