ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ । ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ୩୦୮୦ଜଣଙ୍କ କରୋନା ଯୋଗୁଁ ପ୍ରାଣ ଯାଇଛି ।
ତେବେ ରାଜ୍ୟର ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।ଏହି ଜିଲ୍ଲାରୁ ୬ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି । ସେହିପରି କଟକ ଓ କଳାହାଣ୍ଡିରୁ ୫ ଲେଖାଏଁ, ଅନୁଗୁଳ, ଢେଙ୍କାନାଳ ଓ ସୁନ୍ଦରଗଡ଼ରୁ ୪ ଲେଖାଏଁ ରୋଗୀଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ବୌଦ୍ଧ, ଝାରସୁଗୁଡ଼ାରୁ ୩ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ବରଗଡ଼, ରାୟଗଡ଼ାରୁ ୨ ଲେଖାଏଁ; ବାଲେଶ୍ୱର, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ମାଲକାନଗିରି, ମୟୂରଭଞ୍ଜ ଓ ନୟାଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ ହୋଇଛନ୍ତି ।
ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୫୮୯୬ ରୋଗୀ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୩୩୩୨ ରୋଗୀ କ୍ୱାରେଣ୍ଟିନରେ ଓ ୨୫୬୪ ଜଣ ଲୋକାଲ କଣ୍ଟାକ୍ଟ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି ।