ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଖାଦ୍ୟ ପ୍ରଣାଳୀ ମଧ୍ୟରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସକାଳ ଜଳଖିଆ । କର୍ମମୟ ଜୀବନରେ ଅନେକ ଲୋକ ସକାଳ ଜଳଖିଆରେ ଧ୍ୟାନ ଦେଇନଥାନ୍ତି । କିନ୍ତୁ ଆଉ କିଛି ଲୋକ ଜଳଖିଆ ନାଁରେ ପେଟ ଭରିବା ପାଇଁ ଏଣୁତେଣୁ କରି ଗୁଡାଏ ଖାଇଥାନ୍ତି । ଫଳରେ ସେହି ବ୍ୟକ୍ତିର ଓଜନ ବଢିବା ସ୍ୱାଭାବିକ । ସକାଳ ଜଳଖିଆରେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଦ୍ୱାରା ଶରୀରକୁ ସୁସ୍ଥ ରଖିବା ସହ ମେଟାବେଲିଜିମ୍ ମଧ୍ୟ ବଢିଥାଏ । କିନ୍ତୁ କିଛି ଲୋକ ସକାଳ ଜଳଖିଆରେ ଫଳମୂଳକୁ ଗୁରୁତ୍ୱ ଦେଇଥାନ୍ତି । ଏହା ପେଟର ଭୋକକୁ ତ ଶାନ୍ତ କରିଦିଏ, ତା’ ସହିତ ମୋଟାପଣକୁ ମଧ୍ୟ ବଢାଇଥାଏ । ତେବେ ଜାଣନ୍ତୁ ସକାଳ ଜଳଖିଆରେ କଣ ସାମିଲ ରଖିବା ଉଚିତ୍ । ଯାହାଦ୍ୱରା ଆମେ ସୁସ୍ଥ ରହିବା ସହ ମୋଟାପଣକୁ ଦୂରେଇ ରଖିପାରିବେ ।
ଓଜନକୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଥିଲେ, ସକାଳ ଜଳଖିଆରେ ପ୍ରୋଟିନ୍କୁ ସାମିଲ୍ କରନ୍ତୁ । କାରଣ ପ୍ରୋଟିନ୍ ଭୋକ ଲାଗିବାକୁ ଦିଏନା । ସେଥିପାଇଁ ସକାଳ ଭୋଜନରେ ପନିର, ବଟର, ପାଚିଲା କଦଳୀ, ସିଝା ଅଣ୍ଡା ଓ ଏକ ଛୋଟ ଗିନା ଭାତ ନେଇପାରିବେ ।
କିଛି ଲୋକ ସକାଳ ଜଳଖିଆ କରି ନଥାନ୍ତି, ଫଳରେ ଦ୍ୱିପ୍ରହର ଓ ରାତିରେ ପେଟପୁରା ଖାଦ୍ୟ ଗ୍ରହଣ କରିଥାନ୍ତି । ଯାହାଦ୍ୱାରା ଓଜନ ବଢିଥାଏ । କୌଣସି ପରିସ୍ଥିତିରେ ସକାଳ ଜଳଖିଆ ଛାଡିବା ଅନୁଚିତ୍ । ଯଦି ଖାଇବାକୁ ସମୟ ନାହିଁ, ତେବେ ଦୁଗ୍ଧ କିମ୍ବା ସିଝା ଅଣ୍ଡା ଖାଇପାରିବେ ।
ସବୁଦିନ ଏକ ପ୍ରକାର ଜଳଖିଆ ମଧ୍ୟ ଓଜନ ବଢାଇଥାଏ । ସେଥିପାଇଁ ପ୍ରୋଟିନ୍, ଫାଇବର, କାର୍ବୋହାଇଡ୍ରେଟ୍ ଓ ଫ୍ୟାଟ୍ ଆଦିକୁ ସାମିଲ୍ କରିବା ଆବଶ୍ୟକ । ଏସବୁ ଖାଇବା ଦ୍ୱାରା ଦ୍ୱିପ୍ରହର ଭୋଜନ ପର୍ଯ୍ୟନ୍ତ ଭୋକ ଲାଗି ନଥାଏ । ପୁଷ୍ଟିକର ଖାଦ୍ୟ ଖାଇବା ଦ୍ୱାରା ବ୍ୟକ୍ତି ସୁସ୍ଥ ରହିବା ସହ ମୋଟାପଣ ମଧ୍ୟ ନିୟନ୍ତ୍ରିତ ରହିଥାଏ ।