ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଏଣିକି ବ୍ୟାଙ୍କ ଛୁଟି ଥିଲେ ମଧ୍ୟ ଆସିବ ଦରମା ଓ କଟିବ ଇଏମଆଇ । ଅଟୋମେଟିକ ପେମେଣ୍ଟ ସୁବିଧାରେ ଆରବିଆଇ କରିଛି ବଡ ପରିବର୍ତ୍ତନ । ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ନ୍ୟାସନାଲ୍ ଅଟୋମେଟେଟ୍ କ୍ଲିଅରିଙ୍ଗ୍ ହାଉସ୍(NACH) ସୁବିଧାରେ କିଛି ବଡ ପରିବର୍ତ୍ତନ କରିଛି । ତେବେ ଏହି ପରିବର୍ତ୍ତନର ଲାଭ ଆପଣଙ୍କୁ ଅଗଷ୍ଟ ମାସରୁ ମିଳିବ । ଏହି NACH ହେଉଛି ବ୍ଲକ୍ ପେମେଣ୍ଟ ସିଷ୍ଟମ, ଯାହାର କାର୍ଯ୍ୟଗୁଡିକ ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ( NPCI) କରିଥାଏ ।
ଏହି NACH ବିଭାଗ ସରକାରୀ କର୍ମଚାରୀ, ଓ କମ୍ପାନୀ ଲୋକମାନଙ୍କର ବ୍ୟାଙ୍କ ଖାତାରେ ଦରମା, ପେନଶନ, ସବସିଡି ଆଦି ଖାତାକୁ ଛାଡିଥାଏ । ଏଥିସହିତ ଲୋକମାନଙ୍କ ଇଏମଆଇ, ଇନ୍ୟୁରାନ୍ସ ପ୍ରିମିୟମ, ମ୍ୟୁଚୁଆଲ୍ ଫଣ୍ଡର କିସ୍ତି, ବିଜୁଳି, ପାଣି, ଫୋନ୍, ଓ ଗ୍ୟାସ ବିଲ୍ ମଧ୍ୟ ଅଟୋମେଟିକ ଡିଡକ୍ଟ ମଧ୍ୟ ଏହି NACH ଦ୍ୱାରା ହୋଇଥାଏ । ତେବେ ଏହି ଡିଡକ୍ଟଗୁଡିକ ବ୍ୟାଙ୍କ ଛୁଟି ଥିଲେ ହୋଇନଥାଏ । ସେଥିପାଇଁ ଲୋକମାନଙ୍କୁ ହଇରାଣ ହେବାକୁ ପଡିଥାଏ । ତେବେ ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏଥିରେ ଆରବିଆଇ ପରିବର୍ତ୍ତନ କରିଛି । ଏହି ପରିବର୍ତ୍ତନ ଅନୁସାରେ ବ୍ୟାଙ୍କ ଛୁଟି ଥିଲେ ମଧ୍ୟ ଦରମା ଆସିବ ଓ ଇଏମଆଇ କଟିବ ।