ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ କରୋନା ଟିକା ସମସ୍ୟା ନେଇ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଲୋକମାନଙ୍କୁ କୋଭିଡ୍ ଠାରୁ ରକ୍ଷା କରିବାର ଏକମାତ୍ର ମାଧ୍ୟମ ହେଉଛି ଟିକାକରଣ । । ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ନକଲେ କୌଣସି ରାଜ୍ୟ ସୁରକ୍ଷିତ ନୁହେଁ ବୋଲି ନବୀନ ଚିଠିରେ ଲେଖିଛନ୍ତି । ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ପାଇଁ ଟିକା ଘୋଷଣା ପରେ ଦେଶରେ ଦେଖାଦେଇଥିବା ଟିକାର ଚାହିଦା ମେଣ୍ଟାଇବାକୁ କେନ୍ଦ୍ର ସରକାରଙ୍କୁ ଦେଇଥିବା ପ୍ରସ୍ତାବ ସମ୍ପର୍କରେ ଚିଠି ଲେଖି ଅନ୍ୟ ରାଜ୍ୟମାନଙ୍କୁ ଅବଗତ କରାଇଛନ୍ତି । ଏବଂ ପ୍ରସ୍ତାବ ଉପରେ ଅନ୍ୟ ରାଜ୍ୟମାନେ ମଧ୍ୟ ଆଲୋଚନା କରି ଏକ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ପରାମର୍ଶ ଦେଇଛନ୍ତି ।
କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରସ୍ତାବରେ ଗ୍ଳୋବାଲ ମାର୍କେଟରୁ ଟିକା କଣି ରାଜ୍ୟମାନଙ୍କୁ ଯୋଗାଇଦେବା ସମ୍ପର୍କରେ ଉଲ୍ଲେଖ ରହିଛି । ଏଥିସହିତ ଟିକାକରଣ କାର୍ଯ୍ୟକ୍ରମର ବିକେନ୍ଦ୍ରୀକରଣ କରାଯାଇ ରାଜ୍ୟମାନଙ୍କୁ ଟିକାକରଣ ନେଇ ଅନୁମତି ଦେବାକୁ ମଧ୍ୟ ପତ୍ରରେ ଉଲ୍ଲେଖ ରହିଛି ।