ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡର ଗଭୀର ଅବପାତ ଆଜି ଭୋର ୫ଟା ୩୦ରେ ଘନୀଭୂତ ହୋଇ ବାତ୍ୟା ‘ୟାସ୍‘ରେ ପରିଣତ ହୋଇଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ଦେଇଛନ୍ତି । ଏହା ଆସନ୍ତା 24 ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା ରହିଛି । ଏହାପରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହୋଇ ଉତ୍ତର ପଶ୍ଚିମ ବଙ୍ଗୋପ ସାଗରର ଓଡ଼ିଶା ଉପକୂଳରେ ପହଞ୍ଚିବ। ୨୬ ତାରିଖ ମଧ୍ୟାହ୍ନରେ ବାତ୍ୟା ‘ୟାସ୍’ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡ୍ଫଲ୍ କରିବ ବୋଲି ଜଣାପଡ଼ିଛି । ବର୍ତ୍ତମାନ ଏହା ପୋର୍ଟ ବ୍ଲେୟର ଠାରୁ ୬୦୦ କି.ମି., ପାରାଦୀପ ଠାରୁ ଦକ୍ଷିଣ ଦକ୍ଷିଣପୂର୍ବକୁ ୫୪୦ କି.ମି. ଦୂରରେ ରହିଥିବା ବେଳେ ବାଲେଶ୍ୱରରୁ ଦକ୍ଷିଣ ଦକ୍ଷିଣ-ପୂର୍ବର ୬୫୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି। ଆଇଏମ୍ଡି ଡିଜିଙ୍କ ସୂଚନା ଅନୁଯାୟୀ, ‘ୟାସ୍’ ଲ୍ୟାଣ୍ଡଫଲ୍ କରିବା ବେଳେ ପବନର ବେଗ ଘଣ୍ଟାକୁ ୧୫୫ରୁ ୧୬୫ କିଲୋମିଟର ରହିପାରେ। ସ୍ଥଳ ବିଶେଷରେ ଏହା ୧୮୫ କିଲୋମିଟର ପର୍ଯ୍ୟନ୍ତ ବି ଯିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୨୫, ୨୬ ଓ ୨୭ ଏହି ତିନି ଦିନ ଧରି ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ପବନ ଲାଗି ରହିପାରେ ।
ତେବେ ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର। ଯାଜପୁର, କଟକ ଓ ମୟୂରଭଞ୍ଜରେ ବି ବାତ୍ୟାର ପ୍ରଭାବ ଅଧିକ ରହିବ। ପ୍ରବଳ ପବନ ଯୋଗୁ ବଡ଼ବଡ଼ ଗଛ ଧରାଶାୟୀ ହୋଇପାରେ । ଆଜ୍ବେଷ୍ଟସ୍, କଚ୍ଚା ଓ ଟିଣ ଘର ଭାଙ୍ଗି ଯାଇପାରେ। ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ଯାଇପାରେ। ସ୍ଥିତିକୁ ଦେଖି ପାଣିପାଗ ବିଭାଗ ପକ୍ଷରୁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ମୟୂରଭଞ୍ଜ ଜିଲ୍ଲାରେ ୨୬ ତାରିଖ ପାଇଁ ରେଡ୍ ଓ୍ୱାର୍ଣ୍ଣିଂ ଜାରି ହୋଇଛି । ଓ ରାଜ୍ୟର ସମସ୍ତ ବନ୍ଦରରେ 3 ବିପଦ ସଂକେତ ଦିଆଯାଇଛି । କଚ୍ଚା ଘରେ ନ ରହି ବାତ୍ୟା ଆଶ୍ରୟସ୍ଥଳୀକୁ ଯିବା ପାଇଁ ଲୋକମାନଙ୍କୁ ଅନୁରୋଧ କରାଯାଉଛି ।