ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : ଓଡିଶାରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ହାଇଆଲର୍ଟ ଜାରି କରିଛନ୍ତି । ଗତକାଲି ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଦିନ ତମାମ ସରକାରୀ ସ୍ତରରେ ଆଲୋଚନା କରାଯାଇଥିଲା । ଗଞ୍ଜାମରୁ ବାଲେଶ୍ବର, ମୟୂରଭଂଜ ପର୍ଯ୍ୟନ୍ତ ସମୁଦାୟ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ଆଲର୍ଟ ଜାରି କରିଛନ୍ତି । ରାଜ୍ୟ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପାଣି ଠାରୁ ଆରମ୍ଭ କରି ଖାଦ୍ୟ, ରିଲିଫ୍ ପର୍ଯ୍ୟନ୍ତ ସମୁଦାୟ ସ୍ଥିତି ସଂପର୍କରେ ପ୍ରସ୍ତୁତି ବ୍ୟାପକ କରାଯାଇଛି ବୋଲି ସୁଚନା ଦେଇଛନ୍ତି । ବାତ୍ୟାର ସ୍ଥିତି ଦେଖି ଏବଂ କେଉଁ ସ୍ଥାନରେ ଲ୍ୟାଣ୍ଡଫଲ୍ ହେବ, ତାହା ଜଣାପଡ଼ିଲା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା କହିଛନ୍ତି, ଆସନ୍ତାକାଲି ସୁଦ୍ଧା ବାତ୍ୟାର ରୂପରେଖ ସଂପର୍କରେ ଭାରତର ପାଣିପାଗ ସଂସ୍ଥା ଜଣାଇବ । କିନ୍ତୁ ରାଜ୍ୟ ସରକାର ପ୍ରସ୍ତୁତି ଜୋରଦାର କରିଛନ୍ତି। ଆଜି ସକାଳେ ଭାରତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ଏ ସଂପର୍କରେ ଏକ ପ୍ରସ୍ତୁତି ବୈଠକ କରିଥିଲେ। ଓଡ଼ିଶା କ’ଣ ପଦକ୍ଷେପ ନେଇଛି, ସେ ସଂପର୍କରେ ସେମାନଙ୍କୁ ଅବଗତ କରାଯାଇଥିଲା। ଅପରାହ୍ନରେ ମୁଖ୍ୟଶାସନ ସଚିବ ସବୁ ସଚିବ, ଜିଲ୍ଲାପାଳ, ଏନ୍ଡିଆରଏଫ୍, ଆଇଏନ୍ଏସ୍ ଚିଲିକା, କୋଷ୍ଟଗାର୍ଡ ଟିମ୍ ସମେତ ଅନ୍ୟ ସଂସ୍ଥାମାନଙ୍କ ସହିତ ବିଶଦ ଆଲୋଚନା କରିଛନ୍ତି।