ସନଷ୍ଟାର ଟିଭି ବ୍ୟୁରୋ
ତାମିଲନାଡୁ: କରୋନା ମହାମାରୀ କବଳରେ ସାରା ବିଶ୍ୱ ଏବେ କବଳିତ । ପ୍ରତିଦିନ ଏହି ମହାମାରୀ ପାଇଁ ହଜାର ହଜାର ଲୋକଙ୍କ ଜୀବନ ଯାଉଥିବା ବେଳେ ଲକ୍ଷ ଲକ୍ଷ ଲୋକ ଏହି ମହାମାରୀରେ ଆକ୍ରାନ୍ତ ହେଉଛନ୍ତି । ତେବେ ଏଭଳି ପରିସ୍ଥିତିରେ କିଛି ଲୋକ ବିଜ୍ଞାନ ଉପରେ ଭରସା କରୁଥିବା ବେଳେ କିଛି ଲୋକ ଅନ୍ଧବିଶ୍ୱାସକୁ ମଧ୍ୟ ଆପଣାଉଛନ୍ତି । ତେବେ କରୋନାରେ ରକ୍ଷା ପାଇବାକୁ କରୋନା ନାମରେ ଏକ ମନ୍ଦିର ନିର୍ମାଣ କରାଯାଇଛି । ଘଟଣାଟି ଘଟିଛି ତାମିଲନାଡୁର କୋଏମ୍ବାଟୋର ଠାରେ । କରୋନା ଦେବୀ ନାମରେ ଏକ ମନ୍ଦିର ନିର୍ମାଣ କରାଯାଇଛି ଓ ପ୍ରତିଦିନ ଏଠାରେ ପୂଜାର୍ଚ୍ଚନା ମଧ୍ୟ କରାଯାଉଛି ।
ଦକ୍ଷିଣ ଭାରତରେ “କରୋନା ଦେବୀ” ପାଇଁ ଏହା ହେଉଛି ଦ୍ୱିତୀୟ ମନ୍ଦିର | ଗତ ଜୁନ୍ ମାସରେ, କେରଳର କୋଲାମ ଜିଲ୍ଲାର କାଦକକାଲର ଜଣେ ମନ୍ଦିର ପୁରୋହିତ ଏହି ଜୀବାଣୁଙ୍କ ଭୟକୁ ଦୂର କରିବା ପାଇଁ ତାଙ୍କ ଘରେ ଲାଗିଥିବା ଏକ ମନ୍ଦିରରେ ଦେବତାଙ୍କ ମୂର୍ତ୍ତି ସ୍ଥାପନ କରିଥିଲେ ।
ତେବେ କାମାଚିପୁରୀ ଅଧିନାମଙ୍କ ସୂଚନା ଅନୁଯାୟୀ, “ଯେତେବେଳେ ଲୋକମାନେ କିଛି ଶତାବ୍ଦୀ ପୂର୍ବରୁ ପ୍ଲେଗ୍ ମହାମାରୀ ଏବଂ ଅନ୍ୟାନ୍ୟ ମାରାତ୍ମକ ରୋଗରେ ପୀଡିତ ଥିଲେ, ସେମାନେ ଭଗବାନଙ୍କୁ ଉପାସନା କରିବା ଆରମ୍ଭ କରିଥିଲେ, ତେବେ ଏଭଳି ମହାମାରୀ ସମୟରେ କରୋନାରୁ ରକ୍ଷା ପାଇବା ପାଇଁ ଭଗବାନଙ୍କୁ ଉପାସନା କରିପାରିବା । ସେଥିପାଇଁ “କରୋନା ଦେବୀ” ସୃଷ୍ଟି କରିଛୁ । ଏହି କରୋନା ଦେବୀ ଲୋକମାନଙ୍କୁ ରକ୍ଷା କରିବେ ।
1.5 ଫୁଟ ଲମ୍ବର ଏକ କଳା ପଥର ପ୍ରତିମା ପ୍ରତିଷ୍ଠା କରାଯାଇଛି । ମଙ୍ଗଳବାର ଦିନ ଏହି ସମର୍ପଣ ସମାରୋହ ଅନୁଷ୍ଠିତ ହୋଇଥିବାବେଳେ ବୁଧବାର ଠାରୁ ପୂଜାପାଠ କରାଯାଇଥିଲା। 48 ଦିନ ଧରି ସେମାନେ ବିଶେଷ ପ୍ରାର୍ଥନା କରିବେ ବୋଲି ସୂତ୍ରରୁ ପ୍ରକାଶ ପାଇଛି ।