ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ସବୁଠୁ ବେଶୀ ଚିନ୍ତାର କାରଣ ସାଜିଛି । ତେବେ କିଛି ଦିନ ହେବ ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ରାଜଧାନୀ ଦିଲ୍ଲୀରେ ମଧ୍ୟ କିଛିଟା ସୁଧାର ଆସିଥିବା ପରିଲକ୍ଷିତ ହେଉଛି । ତେବେ ଦିଲ୍ଲୀରେ ରହୁଥିବା ସାଧାରଣ ଜନତାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଏକ ବଡ ଘୋଷଣା କରିଛନ୍ତି । ରାସନ କାର୍ଡଧାରୀ ଜନସାଧାରଣଙ୍କୁ ମାଗଣାରେ 10 କେଜି ଚାଉଳ ଦିଆଯିବ ବୋଲି କେଜ୍ରିଓ୍ୱାଲ ଘୋଷଣା କରିଛନ୍ତି । ଏଥିସହିତ, ଯେଉଁମାନଙ୍କ ପାଖରେ ରାସନ କାର୍ଡ ନାହିଁ କିନ୍ତୁ ସେମାନେ ଯଦି କହିବେ ସେମାନଙ୍କୁ ଚାଉଳ ଆବଶ୍ୟକତା ଅଛି ତେବେ ସେମାନଙ୍କୁ ମଧ୍ୟ ମାଗଣାରେ ଚାଉଳ ଦିଆଯିବ । ସେ ଆଉ ମଧ୍ୟ କହିଛନ୍ତି ଯେ, ଦିଲ୍ଲୀର 72,00,000 ରାସନ କାର୍ଡ ହିତାଧିକାରୀଙ୍କୁ ଏହି ମାସରୁ ମାଗଣାରେ ରାସନ ଦିଆଯିବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ସେମାନଙ୍କୁ 5 କେଜି ରାସନ ମାଗଣାରେ ଦିଆଯିବ ।
ତେବେ ଯେଉଁମାନଙ୍କ ମୃତ୍ୟୁ କରୋନାରେ ହୋଇଛି ସେମାନଙ୍କ ପରିବାର ବର୍ଗଙ୍କୁ 50,000 ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ । ଯେଉଁ ଶିଶୁମାନଙ୍କ ଉଭୟ ମା ବାପା କୋରନାରେ ପ୍ରାଣ ହରାଇଛନ୍ତି ସେହି ଶିଶୁମାନଙ୍କୁ 25 ବର୍ଷ ହେବା ଯାଏଁ ପ୍ରତ୍ୟେକ ମାସରେ 2500 ଟଙ୍କା ମିଳିବ ।ଏଥିସହ ଶିକ୍ଷା ପାଇଁ ଦିଲ୍ଲୀ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ।
ଯେଉଁ ପରିବାରର ରୋଜଗାର କରୁଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ସେହି ପରିବାର ଲୋକଙ୍କୁ 50 ହଜାର ଟଙ୍କା ଅନୁକମ୍ପାମୂଳକ ରାଶି ମିଳିବା ସହିତ ପ୍ରତି ମାସରେ 2500 ଟଙ୍କା ଲେଖାଏଁ ପେନସନ ଟଙ୍କା ମିଳିବ ବୋଲି ଆଜି ପ୍ରେସ କନଫରେନ୍ସ ଜରିଆରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।