ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କୋଭିଡ୍ ସ୍ଥିତି ଅତି ଗମ୍ଭୀର ହେବାକୁ ବସିଲାଣି । ଏହାରି ମଧ୍ୟରେ ଆଜି ବସିବାକୁ ଯାଉଛି ସର୍ବଦଳୀୟ ବୈଠକ । ଏହି ବୈଠକରେ ବାଚସ୍ପତିଙ୍କ ସମେତ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେପି ଓ କଂଗ୍ରେସ ଦଳର ସଦସ୍ୟ ମାନେ ଉପସ୍ଥିତ ରହିବେ ।
ବୈଠକରେ ରାଜ୍ୟର କୋଭିଡ୍ ସ୍ଥିତି ନେଇ ଆଲୋଚନା କରାଯିବ । ଏହାସହ ବିଭିନ୍ନ ରାଜନୈତିକ ଦଳ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରକାରର ପ୍ରସ୍ତାବ ଦେବେ । ଏନେଇ ବିଜେପି ନେତା ବିଷ୍ଣୁ ସେଠୀ କହିଛନ୍ତି ଯେ, କୋଭିଡ ଦ୍ବିତୀୟ ଲହରରେ ରାଜ୍ୟରେ ପରିଚାଳନାଗତ ତ୍ରୁଟି ରହିଛି।ଏହାସହ ହସ୍ପିଟାଲରେ ଷ୍ଟାଫ ଅଭାବ, ଟିକା ଠିକ ଭାବେ ଜିଲ୍ଲାକୁ ଯୋଗାଇ ଦିଆଯାଇ ନାହିଁ, ଜିଲ୍ଲାରେ ଅକ୍ସିଜେନ ପ୍ଲାଣ୍ଟ ହୋଇପାରିନି ଭଳି ସମସ୍ୟା ଉପୁଜିଛି। ଏପରିକି ଅଧିକ ଅକ୍ସିଜେନ ପ୍ଲାଣ୍ଟ ପାଇଁ କେନ୍ଦ୍ର ସରକାର ପାଖରେ ରାଜ୍ୟ ସରକାର ଦାବି କରିନାହାନ୍ତି । କେବଳ ଭୁବନେଶ୍ବର ଓ VIP ଚିକିତ୍ସା ହେଉଛି। ଜିଲ୍ଲା ଗୁଡିକର ସ୍ଥିତି ଶୋଚନୀୟ ବୋଲି କହିଛନ୍ତି ବିଷ୍ଣୁ ସେଠୀ ।ସେପଟେ କଂଗ୍ରେସ ନେତା ସୁର ରାଉତରାୟ ମଧ୍ୟ ଲକଡାଉନ୍ ବଢାଇବା ପାଇଁ ଦାବି କରିଛନ୍ତି । ଏହାସହ ସରକାର ଟେଷ୍ଟିଂ, ଟ୍ରେସିଂ ଉପରେ ଗୁରୁତ୍ବ ଦେବା ଉଚିତ୍ ବୋଲି ସେ କହିଛନ୍ତି ।