ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆସନ୍ତା କାଲି ଅକ୍ଷୟ ତୃତୀୟା । ଏହି ଦିନରେ ଚାଷୀ ଚାଷ କାର୍ଯ୍ୟ ଅନୁକୂଳ କରିଥାଏ । ତେବେ ଚାଷୀମାନଙ୍କୁ ସାହାଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଚାଷୀମାନଙ୍କ ଆକାଉଣ୍ଟକୁ କାଳିଆ ଟଙ୍କାର ପଞ୍ଚମ ପର୍ଯ୍ୟାୟ କିସ୍ତି ପଠାଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଚାଷୀ ଭାଇ ଭଉଣୀ ମାନଙ୍କୁ ଶୁଭେଛା ଜଣାଇବା ସହ ରାଜ୍ୟର 42 ଲକ୍ଷ ଚାଷୀ ପରିବାର ର ବ୍ୟାଙ୍କ ଖାତାରେ ଖରିଫ 2021 ପାଇଁ କାଳିଆ ଯୋଜନାରେ 920 କୋଟି ଟଙ୍କା ଜମା କରାଯାଇଥିବା ବିଷୟ ଘୋଷଣା କରିଥିଲେ ।ରାଜ୍ୟର ଛୋଟ ଚାଷୀ ,ନାମ ମାତ୍ର ଚାଷୀ ,ଓ ଭୂମି ହୀନ ଚାଷୀ ପରିବାର ସମସ୍ତେ ଏହି କାଳିଆ ଯୋଜନାର ସହାୟତା ପାଇ ଏହାକୁ ଚାଷ କାମରେ ତଥା ଜୀବନ ଜୀବିକାର ଉନ୍ନତିରେ ଲଗେଇବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚାଷୀଙ୍କ ପାଇଁ ସାରା ଦେଶରେ କାଳିଆ ଯୋଜନା ସବୁଠାରୁ ଭଲ ଯୋଜନା । ଏହି ଯୋଜନା ଚାଷୀ ମୁହଁ ରେ ହସ ଆଣିଛି । ଚାଷୀର ଋଣ ଭାର ଲାଘବରେ ମଧ୍ୟ ଏହା ସହାୟକ ହୋଇଛି ।
ତେବେ ଚାଷୀଙ୍କୁ ପ୍ରଂଶସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ , ଚାଷୀ ଆମର ଗର୍ବ ଓ ଗୌରବ । ଦେଶ ଓ ସମାଜ ପାଇଁ ଚାଷୀର ତ୍ୟାଗର ତୁଳନା ନାହିଁ । ଗତବର୍ଷ କୋଭିଡ଼ ସମୟରେ ଚାଷୀ ହି ଅର୍ଥନୀତି କୁ ସଜୀବନୀ ପରି ଶକ୍ତି ଦେଇଥିଲା । ତେଣୁ ଚାଷୀର ତ୍ୟାଗ ର ମୂଲ୍ୟ କେହି ଦେଇ ପାରିବ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ମତ ଦେଇଥିଲେ ।
ତେବେ ମୁଖ୍ୟମନ୍ତ୍ରୀ କୋଭିଡ଼ ସମ୍ପର୍କରେ ସଚେତନ ଜନସାଧାରଣଙ୍କୁ କହିଛନ୍ତି ଯେ, ଏବେ ଆମେ କୋଭିଡ଼ ସଂକ୍ରମଣର ଦ୍ଵିତୀୟ ଲହରର ସାମନା କରୁଛେ ।ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ଲକ୍ ଡାଉନ ଚାଲିଛି । କିନ୍ତୁ କୃଷି ଷେତ୍ର ପାଇଁ କୌଣସି ଲକ୍ ଡାଉନ ନାହିଁ । ତେଣୁ ଚାଷୀ ଭାଇମାନେ କୋଭିଡ଼ ନିୟମ ମାନି ଚାଷ କାମ ଜାରି ରଖିବା ସହିତ ସରକାର ଙ୍କ ବିଭିନ୍ନ କୃଷି ବିକାଶ ଯୋଜନା ର ସୁଯୋଗ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।