ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି । ତେବେ କ୍ରମାଗତ ଭାବେ କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ ଦଶ ହଜାର ଉପରେ ରହିଛି । ତେବେ ରାଜ୍ୟରେ କରୋନା ଟେଷ୍ଟିଂକୁ ବୃଦ୍ଧି କରିବା ପାଇଁ ରାଜ୍ୟରେ ଆର୍ଟିପିସିଆର୍ କେନ୍ଦ୍ର ସଂଖ୍ୟା ବୃଦ୍ଧି ହେବାକୁ ଯାଉଛି । ରାଜ୍ୟର ୧୬ଟି ଜିଲ୍ଲାରେ ଖୋଲିବାକୁ ଯାଉଛି ଆର୍ଟିପିସିଆର୍ କେନ୍ଦ୍ର । ତେବେ ସେହି ଜିଲ୍ଲାଗୁଡିକ ହେଉଛି ଭଦ୍ରକ, ବୌଦ, ଢେଙ୍କାନାଳ, ଗଜପତି, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ନବରଙ୍ଗପୁର, ମାଲକାନଗିରି, ନୂଆପଡା, ସୋନପୁର, କନ୍ଧମାଳ, ସୁନ୍ଦରଗଡ, ରାୟଗଡ଼ା ଓ ବରଗଡ଼ । ତେବେ ଏହି ଆର୍ଟିପିସିଆର୍ କେନ୍ଦ୍ର ପ୍ରତିଷ୍ଠା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିବା ବେଳେ ଏହାର ନିର୍ମାଣ ପାଇଁ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।
ଏହି ଆର୍ଟିପିସିଆର୍ ଟେଷ୍ଟିଂ କେନ୍ଦ୍ରଗୁଡିକରେ ଜଣେ ଲେଖାଏ ମାଇକ୍ରୋ ବାୟୋଲୋଜିଷ୍ଟ୍ ଓ ତିନି ଜଣ ଲ୍ୟାବ୍ ଟେକ୍ନିସିଆନ୍ଙ୍କୁ ନିୟୋଜିତ କରାଯିବ ।ଏହି ଟେଷ୍ଟିଂ କେନ୍ଦ୍ରଗୁଡିକ ସବୁଦିନ ଲୋକଙ୍କୁ ସେବା ଯୋଗାଇ ଦେବା ସହ କରୋନା ସଂକ୍ରମଣକୁ ରୋକିବା ଓ ତୁରନ୍ତ ଚିକିତ୍ସା ଆରମ୍ଭ କରିବାରେ ଏହା ବିଶେଷ ସହାୟକ ହେବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି ।