ସନ୍ଷ୍ଟାର ଟିଭି ବ୍ୟୁରୋ
ଡେରାଡୁନ: ମଙ୍ଗଳବାର ଦିନ ଉତ୍ତରାଖଣ୍ଡର ଦେବପ୍ରୟାଗରେ ପ୍ରକୃତିର ଧ୍ୱଂସଲୀଳା ପୁଣି ଦେଖିବାକୁ ମିଳିଛି। ତେହରି ଗଡୱାଲ ଜିଲ୍ଲାର ଉଚ୍ଚ ପାର୍ବତ୍ୟାଞ୍ଚଳରେ ଥିବା ଦେବପ୍ରୟାଗରେ ବାଦଲଫଟା ବର୍ଷା ହେବାରୁ ଦେବପ୍ରୟାଗ ବଜାରରେ ଥିବା ବହୁ ଦୋକାନ, ବାସଗୃହ ଏବଂ ଏକ ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ)ର କୋଠା ସଂପୂର୍ଣ୍ଣ ଭୁଶୁଡି ଯାଇ ପ୍ରଖର ବର୍ଷା ସ୍ରୋତରେ ଭାସିଯାଇଛି।
ଗତକାଲି ସଂଧ୍ୟାରେ ଘଟିଥିବା ଏହି ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ମୃତାହତଙ୍କ ସଂପର୍କରେ ଖବର ମିଳିନାହିଁ। ଏହି ଅଘଟଣ ଘଟିବା ପରେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବଳ (ଏସଡିଆରଏଫ) ତୁରନ୍ତ ସେଠାରେ ପହଞ୍ଚି ଉଦ୍ଧାର ଓ ରିଲିଫ କାର୍ଯ୍ୟ ଆରମ୍ଭ କରିଥିଲେ। କୋଭିଡ ସଂକ୍ରମଣ ଦୃଷ୍ଟିରୁ ରାଜ୍ୟରେ କର୍ଫ୍ୟୁ ଜାରି କରାଯାଇଥିବା ଏବଂ ଦୋକାନ ବଜାର ଆଦି ବନ୍ଦ ଥିବାରୁ ଜୀବନହାନି ଘଟିନଥିବା କହିଛନ୍ତି ଉତ୍ତରାଖଣ୍ଡର ପୁଲିସ ମହାନିର୍ଦ୍ଦେଶକ ଅଶୋକ କୁମାର। ଜିଲ୍ଲା ଜରୁରୀ ପରିଚାଳନା କେନ୍ଦ୍ର ସୂତ୍ର ଅନୁଯାୟୀ ଦେବପ୍ରୟାଗ ଅଞ୍ଚଳରେ ମଙ୍ଗଳବାର ସକାଳୁ ବର୍ଷା ଲାଗିରହିଥିଲା।
ଅପରାହ୍ଣ ପ୍ରାୟ ୫ଟାରେ ଦେବପ୍ରୟାଗର ଉପର ଅଞ୍ଚଳରେ ହଠାତ୍ ବାଦଲଫଟା ବର୍ଷା ହେଲା। ଫଳରେ ଏକ ପାହାଡି ଝରଣାରେ ଖୁବ ଜୋରରେ ପାଣିସୁଅ ମାଡିଆସି ବଜାରରେ ଥିବା ଦୋକାନ, ବାସଗୃହ ଏବଂ ଆଇଟିଆଇ କୋଠା ଆଦିକୁ ଭସାଇ ନେଇଥିଲା।