ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହି ସଂକ୍ରମଣରେ ରୋକ୍ ଲଗାଇବା ପାଇଁ ରାଜ୍ୟ ସରକାର ଓ୍ୱିକେଣ୍ଡ୍ ସଟଡାଉନ୍ ସହ ଲକଡାଉନ ଘୋଷଣା କରିଛନ୍ତି । ତେବେ ଏହି ସମୟରେ ଜରୁରୀ ସେବା ଉପଲବ୍ଧ ରହିଛି । ବିଭିନ୍ନ ସଂସ୍ଥାରେ କାର୍ଯ୍ୟ କରୁଥିବା ଲୋକ ନିଜର ଆଇକାର୍ଡ ଦେଖାଇ ଅଫିସ ଯାଇ ପାରିବେ ବୋଲି ନିୟମ ରହିଥିବା ବେଳେ କେତେକ ଅମାନିଆ ଏହାର ପୁରା ଫାଇଦା ଉଠାଉଛନ୍ତି । କିଛି କାମ ନଥିଲେ ମଧ୍ୟ ଆଇକାର୍ଡ ଦେଖାଇ ନିର୍ଭୟରେ କଟକଣା ଉଲଂଘନ କରିବାରେ ଲାଗିଛନ୍ତି କିଛି ଆଇକାର୍ଡ ଧାରୀ କର୍ମଚାରୀ । ଆଉ କିଛି ଚେକିଂ ଓ ବ୍ଲକିଂ ଭିତରେ ଖସିଯିବା ପାଇଁ କିଏ ମାଙ୍କ ଆଇକାର୍ଡ ତ ଆଉ କିଏ ପତ୍ନୀଙ୍କ ପରିଚୟପତ୍ର ଦେଖାଉଛନ୍ତି । ଆଜି ଏଭଳି କିଛି ଚିତ୍ର କଟକ ସହରରେ ସାମ୍ନାକୁ ଆସିଥିଲା ।
ତେବେ ଏଭଳି ଅନିୟମିତତାକୁ ରୋକିବା ପାଇଁ ଏବଂ ନିୟମ ଉଲଂଘନକାରୀଙ୍କୁ ଶିକ୍ଷା ଦେବାକୁ ଏଥର କଠୋର ହୋଇଛି କମିଶନରେଟ୍ ପୋଲିସ । ପୋଲିସ ପକ୍ଷରୁ କୌଣସି ସ୍ୱତନ୍ତ୍ର ପାସ୍ ବ୍ୟବସ୍ଥା ନଥିବାରୁ ପରିଚୟପତ୍ରର ଅପବ୍ୟବହାର ହେଉଥିବା ସାମ୍ନାକୁ ଆସିଛି। ଏହାକୁ ରୋକିବା ପାଇଁ କମିଶନରେଟ୍ ପୋଲିସ କଡ଼ାକଡ଼ି ଚେକିଂ କରିବା ସହ ବ୍ଲୁ ପ୍ରିଣ୍ଟ ତିଆରି କରିଛି ।
କେଉଁ କର୍ମଚାରୀ କେଉଁ ଅଫିସରେ କାମ କରୁଛନ୍ତି, ତାଙ୍କର ଡ୍ୟୁଟି ଯିବା ସମୟ କଣ ? ସେନେଇ ଏଣିକି ନିର୍ଦ୍ଦିଷ୍ଟ ଅଥରାଇଜେସନ୍ ଆବଶ୍ୟକ । ଡିସିପିଙ୍କ ପାଖରେ ସଂପୃକ୍ତ କର୍ମଚାରୀଙ୍କ ସମ୍ପର୍କରେ ସଂସ୍ଥା ଗୁଡ଼ିକ ତଥ୍ୟ ଦାଖଲ କରିବେ । ଏହାଦ୍ୱାରା ଅମାନିଆଙ୍କ ଯାତାୟାତକୁ ରୋକାଯାଇପାରିବ ବୋଲି କହିଛନ୍ତି ପୋଲିସ କମିଶନର । ତେବେ ଟିକାକରଣ ଏବଂ କୋଭିଡ୍ ଟେଷ୍ଟ ପାଇଁ କୌଣସି କଟକଣା ନାହିଁ । ଏ ସମ୍ପର୍କିତ ତଥ୍ୟ ଦେଖାଇ ଲୋକେ ଯାଇପାରିବେ ବୋଲି ସିପି ସୂଚନା ଦେଇଛନ୍ତି ।