ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ ଗତକିଛି ଦିନ ହେବ ଅପରାହ୍ଣ ସମୟରେ ପାଗରେ ବେଶ୍ ପରିବର୍ତ୍ତନ ପରିଲକ୍ଷିତ ହେଉଛି । ଆଜି ମଧ୍ୟ ରାଜ୍ୟର 17 ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣି ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ବର୍ଷା ଘଡଘଡି ସହ 30 ରୁ 40 କି.ମି ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି |
ତେବେ ସେହି ଜିଲ୍ଲା ଗୁଡିକ ହେଉଛି ସୁନ୍ଦରଗଡ, ମୟୁରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଦେଓଗଡ, ଝାରସୁଗୁଡା, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ, କଟକ, କନ୍ଧମାଳ, ଢେଙ୍କାନାଳ, ସମ୍ୱଲପୁର, ଅନୁଗୁଳ । ଏଥିସହିତ ରାଜ୍ୟର ୫ଟି ଜିଲ୍ଲାରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି | କୁଆପଥର ବର୍ଷା ହେବାର ଥିବା ୫ଟି ଜିଲ୍ଲା ମଧ୍ୟରେ ରହିଛି କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର | ଏହି ୫ଟି ଜିଲ୍ଲାର ଗୋଟେ କିମ୍ବା ଦୁଇଟି ସ୍ଥାନରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଏହି ସମୟରେ ସତର୍କତା ଅବଲମ୍ୱନ କରିବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି ପାଣିପାଗ ବିଭାଗ ।