ସନଷ୍ଟାର ଟିଭି ବ୍ୟୁରୋ
ଲଣ୍ଡନ: କରୋନା ଭଳି ଅଦୃଶ୍ୟ ଶକ୍ତିକୁ ପରାସ୍ତ କରିବା ପାଇଁ ଭାରତ ସହ ଲଢେଇରେ ସାମିଲ ହୋଇଛନ୍ତି ଅନେକ ଦେଶ । ତେବେ ବ୍ରିଟେନ ମଧ୍ୟ ଭାରତକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛି । ଭାରତକୁ ସାହାଯ୍ୟ କରିବା ପାଇଁ ବିଶ୍ବର ସବୁଠାରୁ ବଡ କାର୍ଗୋ ବିମାନରେ ଭାରତକୁ ମେଡିକାଲ ସାମଗ୍ରୀ ପଠାଇଛି ବିଟ୍ରେନ । ଏହି ବିମାନରେ ରହିଛି 18 ଟନ୍ର 3ଟି ଅକ୍ସିଜେନ୍ ଜେନରେଟର ଓ 1000 ଭେଣ୍ଟିଲେଟର । ଏହି ତିନୋଟି ଅମ୍ଳଜାନ ଉତ୍ପାଦନ ୟୁନିଟ୍ ମଧ୍ୟରୁ 40 ଫୁଟ ମାଲ ପରିବହନ ପାତ୍ରର ଆକାର ପ୍ରତି ମିନିଟରେ 500 ଲିଟର ଅମ୍ଳଜାନ ଉତ୍ପାଦନ କରିଥାଏ, ଯାହା ଏକ ସମୟରେ 50 ଜଣଙ୍କ ପାଇଁ ବ୍ୟବହାର କରିବାକୁ ଯଥେଷ୍ଟ । ତେବେ ଏନେଇ ସୂଚନା ଦେଇଛନ୍ତି କମନୱେଲଥ ଆଣ୍ଡ ଡେଭଲପମେଣ୍ଟ ଅଫିସ (ଏଫସିଡିଓ) ।
ବ୍ରିଟେନର ବୈଦେଶିକ ସଚିବ ଡୋମିନିକ୍ ରାଏବ କହିଛନ୍ତି, “ବ୍ରିଟେନ ଉତ୍ତର ଆୟର୍ଲାଣ୍ଡରୁ ଭାରତକୁ ଅତିରିକ୍ତ ଅମ୍ଳଜାନ ଜେନେରେଟର ପଠାଉଛି । ଏହି ଜୀବନ ରକ୍ଷାକାରୀ ଉପକରଣ ଦେଶର ଡାକ୍ତରଖାନାକୁ ସହାୟତା କରିବ । ସେ ଆଉ ମଧ୍ୟ କହିଛନ୍ତି, “ଏହି ମହାମାରୀର ମୁକାବିଲା ପାଇଁ ବ୍ରିଟେନ ଏବଂ ଭାରତ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଆମେ ସମସ୍ତେ ସୁରକ୍ଷିତ ନହେବା ପର୍ଯ୍ୟନ୍ତ କେହି ସୁରକ୍ଷିତ ନୁହଁନ୍ତି ।”
FCDO ର କହିବା ଅନୁସାରେ, ବିମାନ ରବିବାର ସକାଳ ୮ଟା ବେଳେ ଦିଲ୍ଲୀରେ ପହଁଞ୍ଚିବାର ଆଶା କରାଯାଉଛି ଓ ଭାରତୀୟ ରେଡକ୍ରସ ସୋସାଇଟି ସାହାଯ୍ୟରେ ଏହାକୁ ହସ୍ପିଟାଲକୁ ପଠାଯିବ । ତେବେ ଗତମାସରେ ମଧ୍ୟ ବିଟ୍ରେନ ଭାରତକୁ 200 ଭେଣ୍ଟିଲେଟର ଏବଂ 495 ଅକ୍ସିଜେନ ୟୁନିଟ ପଠାଇ ଭାରତକୁ ସାହାଯ୍ୟ କରିଥିଲା । ତେବେ ଗତକାଲି ଭାରତକୁ ପଠାଇଥିବା 1000 ଭେଣ୍ଟିଲେଟର ଭାରତକୁ ବହୁତ ସାହାଯ୍ୟ କରିବ ।