ସନଷ୍ଟାର ଟିଭି ବ୍ୟୁରୋ
ରା.ଉଦୟଗିରି: କୋଭିଡ୍ କଟକଣାକୁ ବେଖାତିର କରି ଆୟୋଜିତ ଏକ ବିବାହ ଭୋଜିକୁ ରୋକିବାକୁ ଯାଇ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ତହସିଲଦାର । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ରା.ଉଦୟଗିରି ଅଂଚଳରେ । ସୂଚନା ଅନୁସାରେ, କୋଭିଡ୍ ନିୟମକୁ ବେଖାତିର କରି ରା.ଉଦୟଗିରି ଥାନା ଅଧୀନ ଛେଳିଗଡ଼ ଖ୍ରୀଷ୍ଟିଆନ୍ ସାହିରେ ଶୁକ୍ରବାର ସନ୍ଧ୍ୟାରେ ୫ ଶହରୁ ଅଧିକ ଲୋକଙ୍କ ଉପସ୍ଥିତିରେ ଏକ ବିବାହ ଉତ୍ସବ ଚାଲିଥିଲା । ବିବାହ ଉତ୍ସବରେ ଶୋଭାଯାତ୍ରା ଓ ଭୋଜିଭାତକୁ ବାରଣ କରାଯାଇଥିଲେ ମଧ୍ୟ ଏହାକୁ ଉପେକ୍ଷା କରି ଆଡମ୍ୱରରେ ପାଳନ କରାଯାଉଥିଲା ବିବାହ ଉତ୍ସବ । ଏହି ଖବର ପାଇବା ପରେ ରା.ଉଦୟଗିରି ତହସିଲ୍ଦାର ସ୍ମୃତିରଞ୍ଜନ ଶତପଥୀ ଘଟଣାସ୍ଥଳରେ ପହଞ୍ଚି ଏହାକୁ ବାରଣ କରିଥିଲେ । ହେଲେ ଲୋକେ ତାଙ୍କ କଥାକୁ ନ ଶୁଣାଯିବାରୁ ତହସିଲଦାର ବାଧ୍ୟ ହୋଇ ପୁଲିସକୁ ଡକାଇଥିଲେ । ରା.ଉଦୟଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା କ୍ଷଣି ଗ୍ରାମବାସୀ ସେମାନଙ୍କ ଉପରକୁ ଅତର୍କିତ ଭାବେ ଠେଙ୍ଗା ଓ ବାଡ଼ିରେ ଆକ୍ରମଣ କରିଥିଲେ ।
ଏ ସମ୍ପର୍କରେ ରା.ଉଦୟଗିରି ବିଡିଓ ପ୍ରଦୀପ ନାୟକ କହିଛନ୍ତି ଯେ,ଶୁକ୍ରବାର ସନ୍ଧ୍ୟାରେ ଛେଳିଗଡ଼ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ରହିଥିଲା । ଖ୍ରୀଷ୍ଟିୟାନ୍ ସାହିବାସୀ ଜେନେରେଟର ଲଗାଇ ଭୋଜିଭାତ କରୁଥିଲେ । ପୁଲିସ ପହଞ୍ଚିବା କ୍ଷଣି ସୋମାନେ ଜେନେରେଟରକୁ ବନ୍ଦ କରିବା ସହ ଠେଙ୍ଗା ଓ ବାଡ଼ିରେ ଆକ୍ରମଣ କରିଥିଲେ ।
ଅନ୍ଧାରରେ ତହସିଲଦାର ଓ ପୁଲିସ କର୍ମଚାରୀମାନେ ଦୌଡି ପଳାଇଥିବା ବେଳେ ଗ୍ରାମବାସୀମାନେ ତହସିଲଦାରଙ୍କ ଗାଡିକୁ ଭାଙ୍ଗି ଦେଇଥିଲେ । ତେବେ ଏହି ଆକ୍ରମଣରେ ତହସିଲଦାର ଓ କିଛି ପୋଲିସ କର୍ମଚାରୀ ଗୁରୁତର ହୋଇଛନ୍ତି । ସେମାନଙ୍କର ରା.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଚାଲିଛି । ତେବେ ତଦନ୍ତ କରାଯାଇ ସେହି ଆକ୍ରମଣକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡିଓ ସୂଚନା ଦେଇଛନ୍ତି ।