ସନଷ୍ଟାର ଟିଭି ବ୍ୟୁରୋ
ବରଗଡ଼: ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପଶ୍ଚିମ ଓଡ଼ିଶାର କୋଭିଡ୍-୧୯ ଦ୍ୱିତୀୟ ଲହରୀର ମୁକାବିଲା କରିବା ପାଇଁ ବରଗଡ଼ର ବିକାଶ ମଲ୍ଟି ସ୍ପେସାଲିଟି ହସ୍ପିଟାଲରେ ୧୦୦ଟି ଭେଣ୍ଟିଲେଟର ସହ ଆଇସିୟୁ ବେଡର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମହାମାରୀର ମୁକାବିଲା ପାଇଁ ବରଗଡ଼ର ବିକାଶ ମଲ୍ଟି ସ୍ପେଶାଲିଟି ହସ୍ପିଟାଲରେ ଇଣ୍ଡିଆନ ଅଏଲ ସିଏସଆର ପାଣ୍ଠିରୁ ଖର୍ଚ୍ଚ କରି ଡିଭିଆର ଏବଂ ଜିଆରସିଆର ମେମୋରିଆଲ ଟ୍ରଷ୍ଟ ସହଯୋଗରେ ୭୦ଟି ଭେଣ୍ଟିଲେଟର ସହିତ ଆଇସିୟୁ ବେଡ୍, ୩୦ଟି ଭେଣ୍ଟିଲେଟର ବେଡର ଅପଗ୍ରଡେସନ କରିବା ସହ ଆନୁସଙ୍ଗିକ ଉପକରଣର ବ୍ୟବସ୍ଥା କରାଯାଇଛି ।
ତେବେ ଭର୍ଚୁଆଲ୍ ମାଧ୍ୟମରେ ଏହି ଉଦଘାଟନୀ ସମାରୋହରେ ଯୋଗ ଦେଇ ଶ୍ରୀଯୁକ୍ତ ପ୍ରଧାନ କହିଛନ୍ତି ଯେ, ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲା କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବୌଦ୍ଧ, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ -୧୯ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଥିବା ବେଳେ ବରଗଡ଼ରେ ଆରମ୍ଭ ହୋଇଥିବା ଏହି ଅତ୍ୟାଧୁନିକ ସୁବିଧା ଦ୍ୱାରା ଲୋକମାନେ ବିଶେଷ ଭାବେ ଉପକୃତ ହୋଇପାରିବେ । କର୍ପୋରେଟ୍ ଅନୁଷ୍ଠାନମାନେ ଟେଷ୍ଟିଂ ବଢାଇବା, ନିଜ ବ୍ୟବସ୍ଥାରେ ଟିକାକରଣ ସୁବିଧା କରିବା, ଭେଣ୍ଟିଲେଟର, ଅମ୍ଳଜାନ ଯୋଗାଣ, ଆଇସିୟୁ ସହ ବେଡ୍ ବ୍ୟବସ୍ଥା ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ମେଡ଼ିକାଲ ଉପକରଣର ଉପଲବ୍ଧିକୁ ବିକଶିତ କରି ବର୍ତ୍ତମାନ କୋଭିଡ୍ ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।
ତେବେ ଏହି ଉଦଘାଟନୀ ସମାରୋହରେ ତାଙ୍କ ସହ ରାଜ୍ୟସଭା ସାଂସଦ ପ୍ରଶନ୍ନ ଆଚାର୍ଯ୍ୟ, ସୁରେଶ ପୂଜାରୀ ପ୍ରମୁଖ ଯୋଗ ଦେଇଥିଲେ ।