ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଜମ୍ମୁ ଓ କାଶ୍ମୀରରେ ପ୍ରତିବର୍ଷ ସୁରକ୍ଷାବାହିନୀ ଦ୍ଵାରା ଆତଙ୍କବାଦୀଙ୍କୁ ନିପାତ କରାଯାଉଥିଲେ ମଧ୍ୟ ଆତଙ୍କବାଦ ଶେଷ ହେବାର ନା ଧରୁନାହିଁ । କାରଣ ଗତ କିଛି ବର୍ଷ ହେଲା ସ୍ଥାନୀୟ ଯୁବକ ଏହି ଆତଙ୍କବାଦୀ ସଂଗଠନରେ ମିଶୁଥିବାର ସୂଚନା ମିଳିଛି । ଦିନକୁ ଦିନ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହା ସରକାର ଓ ସୁରକ୍ଷା ବାହିନୀଙ୍କ ପାଇଁ ଏକ ଚିନ୍ତାର ବିଷୟ ପାଲଟି ଯାଇଛି ।
ଚଳିତ ବର୍ଷ ଜାନୁଆରୀରୁ ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଜମ୍ମୁ ଓ କାଶ୍ମୀରରେ ୧୯୧ ଆତଙ୍କବାଦୀଙ୍କ ନିପାତ ହୋଇଛି । ସେମାନଙ୍କ ମଧ୍ୟରୁ ୨୦ଜଣ ବିଦେଶୀ ଆତଙ୍କବାଦ ହୋଇଥିବା ବେଳେ ୧୪୫ଜଣ ସ୍ଥାନୀୟ ଯୁବକ ହୋଇଥିବା ସୂଚନା ମିଳିଛି ।
ସୂଚନା ଥାଉକି, ୨୦୧୮ରେ ୧୦୭ଟି ଏନକାଉଣ୍ଟରରେ ମୋଟ ୨୫୪ ଜଣ ଆତଙ୍କବାଦ ନିପାତ ହୋଇଥିଲେ । ସେହିବର୍ଷ ୨୧୦ ଜଣ ସ୍ଥାନୀୟ ଯୁବକ ବିଭିନ୍ନ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିଲେ । ତାହା ତୁଳନାରେ ଚଳିତ ବର୍ଷ ଏପର୍ଯ୍ୟନ୍ତ ୮୬ଟି ଏନକାଉଣ୍ଟରରେ ୧୯୧ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଚଳିତ ବର୍ଷ ଏପର୍ଯ୍ୟନ୍ତ ୧୪୫ ଜଣ ସ୍ଥାନୀୟ ଯୁବକ ଆତଙ୍କବାଦୀ ହୋଇଥିବାବେଳେ ଆହୁରି ୫-୮ ଜଣ ଯୁବକ ନିଖୋଜ ଅଛନ୍ତି । ସେମାନେ ବି ଆତଙ୍କବାଦୀ ହୋଇଯାଇଥିବା ସଂଦେହ କରାଯାଉଛି । ତେବେ ଚଳିତ ବର୍ଷ ପ୍ରାୟ ୫୦ ଜଣ ଯୁବକ ଗିରଫ ହେବା ସହ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।