ସନ୍ଷ୍ଟାର ଟିଭି ବ୍ୟୁରୋ
ଦେଶ ହେଉ କିମ୍ବା ଦେଶ ବାହାରେ ବର୍ତ୍ତମାନ ଭାରତୀୟଙ୍କ କମାଲ ସବୁଠି ଦେଖିବାକୁ ମିଳୁଛି । ଆମେରିକା ଭଳି ବିକାଶଶୀଳ ରାଷ୍ଟ୍ରରେ ମଧ୍ୟ ବଡ ବଡ ପଦବୀରେ ଅବସ୍ଥାପିତ ହୋଇ ଭାରତୀୟ ତାଙ୍କ ପ୍ରତିଭା ଦେଖାଇଛନ୍ତି । ହେଲେ ଏବେ ଆମେରିକା ରାଷ୍ଟପତି ଭାବେ ନବ ନିର୍ବାଚିତ ହୋଇଥିବା ଜୋ ବାଇଡେନଙ୍କ କ୍ୟାବିନେଟରେ ଭାରତୀୟଙ୍କୁ ପଦ ମିଳିବା ଦେଶ ପାଇଁ ଅତି ଗର୍ବ ଏବଂ ଗୌରବର ବିଷୟ ପାଲଟିଛି । ରାଷ୍ଟ୍ରପତି ଜୋ ବାଇଡେନଙ୍କ ଟିମ୍ ରେ ଜଣେ ଭାରତୀୟ ମୂଳ ବାସିନ୍ଦା ମାଲା ଅଡିଗାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିଛି ଏବଂ ବାଇଡେନ ତାଙ୍କ ପତ୍ନୀ ଜିଲ ବାଇଡେନଙ୍କ ନୀତି ନିର୍ଦ୍ଦେଶକ ଭାବେ ଅଡିଗାଙ୍କୁ ନିଯୁକ୍ତି ଦେଇଛନ୍ତି ।
୨୦୦୮ ମସିହାରେ ଆମେରିକାର ରାଷ୍ଟପତି ଥିବା ବାରାକ୍ ଓବାମାଙ୍କ ପାଇଁ ମଧ୍ୟ ଅଡିଗା କାମ କରିସାରିଛନ୍ତି । ଅଡିଗା ଜିଲ ବାଇଡେନଙ୍କ ଏକ ବରିଷ୍ଠ ପରାମର୍ଶଦାତା ଭାବେ ଜଣାଶୁଣା । ଏହା ସହ ସେ ଜୋ ବାଇଡେନ ଓ କମଲା ହାରିସ୍ଙ୍କର ନୀତି ପରାମର୍ଶଦାତା ଭାବେ କାମ କରିଛନ୍ତି । ଏହା ପୂର୍ବରୁ ସେ ବାଇଡେନ ଫାଉଣ୍ଡେସନରେ ଉଚ୍ଚ ଶିକ୍ଷା ଓ ସେନା ପରିବାର ପାଇଁ ନିର୍ଦ୍ଦେଶକ ଭାବେ କାମ କରୁଥିଲେ ।
ବହୁ ବାଦ ବିବାଦ ଭିତରେ ଚାଲିଛି ଆମେରିକା ରାଷ୍ଟପତି ନିର୍ବାଚନ ଫଳାଫଳ । ଏପର୍ଯ୍ୟନ୍ତ ହାର ମାନିବାକୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପ୍ରସ୍ତୁତ ନଥିବା ବେଳେ ଏପଟେ ଜୋ ବାଇଡେନଙ୍କ ବିଜୟ ପ୍ରାୟ ସ୍ଥିର ହୋଇସାରିଛି । ବାଇଡେନ୍ ତାଙ୍କ ସମ୍ପୁର୍ଣ୍ଣ ଟିମ୍ ଏପର୍ଯ୍ୟନ୍ତ ଘୋଷଣା କରିସାରିନଥିବା ବେଳେ ସମ୍ପୁର୍ଣ୍ଣ ଟିମ୍ ଘୋଷଣା ହେଲେ ଆହୁରି କେତେଜଣ ଭାରତୀୟ ତାଙ୍କ ଟିମ୍ ରେ ସାମିଲ ହୋଇପାରନ୍ତି ବୋଲି ଆଶା କରାଯାଉଛି ।