ସନଷ୍ଚାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ କାଳ ବୈଶାଖୀ ସମ୍ଭାବନା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ଜିଲ୍ଲାରେ ବର୍ଷା ଘଡଘଡି ସହ ୫୦ରୁ ୬୦ କିମି ବେଗରେ ପବନ ମଧ୍ୟ ବହିପାରେ । ତେବେ ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି ।ତେଣୁ ଏହି ସମୟରେ ଜରୁରୀ କାର୍ଯ୍ୟ ନଥିଲେ ଘରୁ ବାହାରକୁ ନଯିବା ପାଇଁ ଜିଲ୍ଲାବାସୀଙ୍କୁ ପାଣିପାଗ କେନ୍ଦ୍ର ପକ୍ଷରୁ ସର୍ତକ ସୂଚନା ଦିଆଯାଇଛି ।
ତେବେ ମୟୁରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢ଼େଙ୍କାନାଳ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁର ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ସମ୍ଭାବନା ରହିଛି । ଏଥିସହିତ ୫ରୁ ଉର୍ଦ୍ଧ୍ୱ ଜିଲ୍ଲାରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ କାଳବୈଶାଖୀ ସହିତ ବଜ୍ରପାତ ଆଶଙ୍କା ବି ରହିଛି । ଏଥିପାଇଁ ଉକ୍ତ ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
କାଳବୈଶାଖୀ ସହିତ ବଜ୍ରପାତ ଆଶଙ୍କା ଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କଳାହାଣ୍ଡି,କାନ୍ଧମାଳ ଓ ବୌଦ୍ଧ ରହିଛି । ତେବେ ଏହି ଜିଲ୍ଲା ଗୁଡିକରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ୩୦ରୁ ୪୦କିମି ବେଗରେ ପବନ ବହିବାର ବି ସମ୍ଭାବନା ରହିଛି । ଏହି ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗତକାଲି ମଧ୍ୟ ବିଭିନ୍ନ ଜିଲ୍ଲାରେ ବର୍ଷା ଘଡଘଡି ସହ ପବନ ଦେଖାଯାଇଥିଲା ।