ସନ୍ଷ୍ଟାର ଟିଭି ବ୍ୟୁରୋ
କୋଲକତା: ବେଙ୍ଗଲ ଦଙ୍ଗଲରେ ହ୍ୟାଟ୍ରିକ ମାରିଲା ତୃଣମୂଳ କଂଗ୍ରେସ । ବିପୁଳ ବହୁମତ ସହ ରାଜ୍ୟରେ ନିର୍ବାଚନ ବୈତରଣୀ ପାର ହୋଇଛନ୍ତି ‘ନ୍ୟାସନାଲ ଦିଦି’ । ସଫଳ ହେଲା ରଣନୀତି , ବିଜେପିକୁ ହରାଇ ରାଜନୀତିରେ ଅଣ୍ଟା ସୁଦୃଢ କଲା ଟିଏମସି । ହେଲେ ନନ୍ଦିଗ୍ରାମ ମହାସଂଗ୍ରାମରେ ହାରିଲେ ବେଙ୍ଗଲ ବାଘୁଣୀ । ୧୭୩୬ ଭୋଟରେ ହାରିଲେ ମମତା ।
ତେବେ ରାଜ୍ୟରେ ବହୁ ମତ ପାଇଁ ବିଜେପି ପଶ୍ଚିମବଙ୍ଗରେ ସବୁ କଳବଳ କୌଶଳ ଲଗାଇଲା । ଧୁରନ୍ଧର ନେତାଙ୍କୁ ନେଇ ଧୁଆଁଧାର ପ୍ରଚାର କଲା .. ପରିବର୍ତ୍ତନ ହାୱାରେ ଟିଏମସି ବହୁ ସାଂସଦ , ବିଧାୟକ ଦଳଛାଡି ଗେରୁଆ କ୍ୟାମ୍ପକୁ ଡିଆଁ ମାରିଲେ କିନ୍ତୁ ପୂରଣ ହେଲାନି ଅବକି ବାର ୨୦୦ ପାର୍ ନାରା । ଏପରିକି ଶତକ ଛୁଇଁପାରିଲାନି ବିଜେପି । ସେପଟେ ଡବଲ ସେଞ୍ଚୁରୀ ମାରିଲା ଟିଏମସି । ହେଲେ ଶୁଭେନ୍ଦୁଙ୍କ ବିଜୟ ପରେ ଦୁଇ ଥର ମୁଖ୍ୟମନ୍ତ୍ରୀ ଥିବା ମମତାଙ୍କ ପରାଜୟ ବିଜେପିକୁ ଦେବ ବୁଷ୍ଟର ।ଦେଶରେ ବିଧାନସଭା ନିର୍ବାଚନ ମାହୋଲ ମଧ୍ୟରେ ପଶ୍ଚିମବଙ୍ଗ ଉପରେ ଅଟକିଥିଲା ଦେଶବାସୀଙ୍କ ନଜର । କାରଣ ବଙ୍ଗ ଗଡରେ ଲାଗିଥିଲା ପ୍ରତିଷ୍ଠା ଓ ସମ୍ମାନର ବାଜି । ଆଉ 292 ନିର୍ବାଚନ ମଣ୍ଡଳୀ ଭିତରେ ନନ୍ଦିଗ୍ରାମ ଥିଲା ହଟ ସିଟ । ଖୋଦ ମୁଖ୍ୟମନ୍ତ୍ରୀ ଏହି ଆସନରୁ ପୂର୍ବତନ ନିକଟତର ନେତାଙ୍କ ବିରୋଧରେ ଲଢେଇ କରି ହୋଇଛନ୍ତି ପରାସ୍ତ । ସେପଟେ ପୂରା ରାଜ୍ୟକୁ ଦେଖିବାକୁ ଗଲେ ଶତ ପ୍ରଚେଷ୍ଟା କରିଥିବା ବିଜେପିର ବିଜୟ ରଥରେ ରୋକ ଲଗାଇ ବାଜି ଜିତି ବଙ୍ଗ ଗଡ ବଞ୍ଚାଇବାରେ ସଫଳ ହୋଇଛି ତୃଣମୂଳ କଂଗ୍ରେସ ।ଦଶନ୍ଧି ଧରି ରାଜ୍ୟରେ ଶାସନ କରିଆସୁଥିବା ମମତା ବାନାର୍ଜୀଙ୍କ ବିରୋଧରେ ଆକ୍ରାମକ ଆଭିମୁଖ୍ୟ ଆପଣାଇଥିଲା ବିଜେପି । ମହାମାରୀ ସତ୍ତ୍ବେ ଖୋଦ ପ୍ରଧାନମନ୍ତ୍ରୀ ମାରାଥନ ରାଲି କରିବା ସହ ପଶ୍ଚିମବଙ୍ଗରେ ଡେରା ପକାଇଥିଲେ ବିଜେପିର ବଡ ବଡ ନେତାମନ୍ତ୍ରୀ । ରୋଡ ଶୋ – ରାଲିରେ ସରଗରମ ହୋଇଥିଲା ବଙ୍ଗ ରାଜରାସ୍ତା । ହେଲେ ପଛଘୁଞ୍ଚା ଦେଇ ନଥିଲେ ଦିଦି । ବିଜେପି ବିରୋଧରେ ୱାନ ଟୁ ୱାନ ଖେଳ ପାଇଁ ଚ୍ୟାଲେଞ୍ଜ ଦେଇଥିଲେ ମମତା । ଆଉ ଶେଷରେ ବିଜୟ ମୁକୁଟ ପିନ୍ଧି ଶେଷ କଲେ ବିଜେପି ଖେଳ ।