ସନଷ୍ଚାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦେଶରେ କରୋନା ନିଜର ଆତଙ୍କ ଖେଳାଇ ଚାଲିଛି । କରୋନା ପାଇଁ ସୃଷ୍ଟି ହୋଇଥିବା ଅକ୍ସିଜେନ ଅଭାବ ଏବେ ବେଶୀ ଦୁଃଖର କାରଣ ସାଜିଛି । ତେବେ ଆଜି ମଧ୍ୟ ଅକ୍ସିଜେନ୍ ଅଭାବରେ ୮ ରୋଗୀଙ୍କ ଜୀବନ ଚାଲିଯାଇଛି । ଏପରି ଏକ ଦୁଃଖଦ ଘଟଣା ଘଟିଛି ଦିଲ୍ଲୀ ବାତ୍ରା ହସ୍ପିଟାଲରେ ।ଏନେଇ ଦିଲ୍ଲୀ ହାଇକୋର୍ଟରେ ତଥ୍ୟ ରଖିଛି ଦିଲ୍ଲୀର ବାତ୍ରା ହସ୍ପିଟାଲ । ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ପ୍ରାୟ ଘଣ୍ଟାଏ ଧରି ଅକ୍ସିଜେନ୍ ଅଭାବ ଯୋଗୁଁ ଜଣେ ଡାକ୍ତରଙ୍କ ସହ ୮ ଜଣଙ୍କ ମୃତ୍ୟୁ ହୋଇଛି ।
ହସ୍ପିଟାଲ ପକ୍ଷରୁ କୋର୍ଟରେ କୁହାଯାଇଛି, ଆମେ ସମୟରେ ଅକ୍ସିଜେନ୍ ପାଇଲୁ ନାହିଁ । ଦିନ ପ୍ରାୟ ୧୨ଟା ବେଳେ ଅକ୍ସିଜେନ୍ ସରିଗଲା । ଆମେ ଜଣେ ଡାକ୍ତରଙ୍କୁ ମଧ୍ୟ ହରାଇଛୁ । ପ୍ରାୟ ଘଣ୍ଟାଏ ଧରି ଅକ୍ସିଜେନ୍ ବିନା ଆମେ ଚିକିତ୍ସା ଜାରି ରଖିଥିଲୁ ।
ଅକ୍ସିଜେନ୍ ଅଭାବ ନେଇ ବାତ୍ରା ହସ୍ପିଟାଲ ଜରୁରୀ ମେସେଜ୍ ପଠାଇଥିଲା । ମାତ୍ର ୧୦ ମିନିଟ୍ ପାଇଁ ଅକ୍ସିଜେନ୍ ଅଛି, ମେଡିକାଲରେ ୩୨୬ ଜଣ ଆଡମିଟ୍ ଅଛନ୍ତି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା । ଏନେଇ ଦିଲ୍ଲୀର ମନ୍ତ୍ରୀ ରାଘବ ଚଢ଼ା କହିଛନ୍ତି- ଜରୁରୀ ମେସେଜର ମାତ୍ର ୫ ମିନିଟ ମଧ୍ୟରେ ଅକ୍ସିଜେନ୍ ଟ୍ୟାଙ୍କର ମେଡିକାଲରେ ପହଞ୍ଚିଥିଲା । ତେବେ ମାତ୍ର କେଇ ମିନିଟ୍ ମଧ୍ୟରେ ଜଣେ ଡାକ୍ତରଙ୍କ ସହ ୮ ଜଣ ରୋଗୀଙ୍କ ଜୀବନ ଚାଲିଯାଇଥିଲା ।