ସନ୍ଷ୍ଟାର ଟିଭି ବ୍ୟୁରୋ
ବେଙ୍ଗାଲୁରୁ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ କର୍ଣ୍ଣାଟକ ରାଜ୍ୟରେ ଏକ ବିସ୍ମୟକର ଘଟଣା ସାମ୍ନାକୁ ଆସିଛି । କର୍ଣ୍ଣାଟକର ବେଙ୍ଗାଲୁରୁରୁ ପ୍ରାୟ ୩ ହଜାର କୋଭିଡ୍ ଆକ୍ରାନ୍ତ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି । ଆହୁରି ଚିନ୍ତାର କାରଣ ସାଜିଛି ସେମାନଙ୍କୁ ଟ୍ରେସିଂ କରିବା କାରଣ ସେମାନଙ୍କ ମଧ୍ୟରୁ ଅଧିଂକାଶଙ୍କ ଫୋନ୍ ନମ୍ଵର ସ୍ଵିଚ୍ ଅଫ୍ ଆସୁଛି ଯେଉଁଥିପାଇଁ ସେମାନଙ୍କୁ ଖୋଜିବା ଆହୁରୀ କଷ୍ଟକର ହୋଇପଡିଛି । ତେବେ ସେମାନଙ୍କୁ ଖୋଜିବା ପାଇଁ ପୋଲିସ୍ର ସହାୟତା ନେଇଛନ୍ତି ସରକାରୀ କର୍ତ୍ତୃପକ୍ଷ ।
କର୍ଣ୍ଣାଟକର ରାଜସ୍ବ ମନ୍ତ୍ରୀ ଆର୍ ଅଶୋକ କରିଛନ୍ତି ଯେ, ଗତ ଅଳ୍ପ କିଛି ଦିନ ହେବ ରାଜ୍ୟରେ ଦ୍ରୁତ ସଂକ୍ରମଣ ବୃଦ୍ଧି ପାଇଛି । ଏହି ନିଖୋଜ ବ୍ୟକ୍ତିମାନେ ହିଁ ରାଜ୍ୟରେ ସଂକ୍ରମଣ ବିସ୍ତାର କରୁଛନ୍ତି । ନିଖୋଜ ଲୋକମାନଙ୍କର ସନ୍ଧାନ ନେବାକୁ ପୁଲିସକୁ ନିର୍ଦେଶ ଦିଆଯାଇଛି ।
ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର କେ ସୁଧାକର କହିଛନ୍ତି, ସଂକ୍ରମିତମାନେ ନିଖୋଜ ହେବା ଘଟଣା ଗତ ଏକ ବର୍ଷ ହେବ ଚାଲି ଆସୁଛି। ଆମେ ଲୋକମାନଙ୍କୁ ମାଗଣାରେ ଔଷଧ ଦେଉଛୁ । ଏହି ଔଷଧ ୯୦% ସଂକ୍ରମଣ ମାମଲା ନିୟନ୍ତ୍ରଣ କରି ପାରିବ । କିନ୍ତୁ, ସଂକ୍ରମିତମାନେ ସେମାନଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ କରି ଦେଇଛନ୍ତି । ସେମାନଙ୍କର ପତ୍ତା ମିଳୁ ନ ଥିବାରୁ ପରିସ୍ଥିତି ଦୁର୍ବିଷହ ହୋଇ ଉଠୁଛି ।ପରେ ସେମାନେ ସଙ୍କଟାପନ୍ନ ଅବସ୍ଥାରେ ଆସି ଡାକ୍ତରଖାନାରେ ପହଞ୍ଚି ବ୍ୟାକୁଳ ହୋଇ ‘ଆଇସିୟୁ’ ବେଡ୍ ଖୋଜୁଛନ୍ତି । ତେବେ ସେହି ନିଖୋଜମାନଙ୍କୁ ଯଥାଶୀଘ୍ର ଖୋଜା ନଗଲେ ବାଙ୍ଗାଲୁରୁରେ କରୋନା ସଂକ୍ରମଣ ଆହୁରୀ ବୃଦ୍ଧି ପାଇପାରେ ।