ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ରୁତ ସଂକ୍ରମଣ ଚିନ୍ତାର କାରଣ ସାଜିଛି । ସରକାର କୋଭିଡ୍ ଗାଇଡ୍ଲାଇନ୍ ଅର୍ଥାତ୍ ସାମାଜିକ ଦୂରତା , ମାସ୍କ ପିନ୍ଧିବା, ହାତ ଧୋଇବା ଭଳି ନିୟମକୁ ପାଳନ କରିବା ପାଇଁ ବାରମ୍ଵାର ଅନୁରୋଧ କରିଛନ୍ତି । ତେବେ ସାମାଜିକ ଦୂରତା ନିୟମ ନ ମାନିଲେ ଜଣେ କରୋନା ଆକ୍ରାନ୍ତ ୪୦୬ଜଣଙ୍କୁ ସଂକ୍ରମିତ କରିପାରିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ । ଏହା ସହ କରୋନା ଭୂତାଣୁଠାରୁ ଦୂରେଇ ରହିବା ପାଇଁ ମାସ୍କ ଏବଂ ସାମାଜିକ ଦୂରତା ଆବଶ୍ୟକୀୟ ପଦକ୍ଷେପ ବୋଲି କେନ୍ଦ୍ର ସରକାର କହିଛନ୍ତି ।
ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଅନେକ ବିଶ୍ୱବିଦ୍ୟାଳୟ ଗବେଷଣା କରି ତଥ୍ୟ ଦେଇଛନ୍ତି ଯେ, ଯଦି ଜଣେ କରୋନା ଆକ୍ରାନ୍ତ ସାମାଜିକ ଦୂରତା ପଦକ୍ଷେପ ଅନୁସରଣ ନକରେ, ତେବେ ୩୦ଦିନ ମଧ୍ୟରେ କରୋନା ଆକ୍ରାନ୍ତ ବ୍ୟକ୍ତିଜଣକ ୪୦୬ଜଣଙ୍କୁ ସଂକ୍ରମିତ କରିବ। ଯଦି ଜଣେ କରୋନା ଆକ୍ରାନ୍ତ ତାର ବାହାରକୁ ବାହାରିବା ୫୦ପ୍ରତିଶତ ହ୍ରାସ କରନ୍ତି, ତେବେ ବ୍ୟକ୍ତିଜଣକ ୩୦ଦିନରେ ୧୫ଜଣଙ୍କୁ ସଂକ୍ରମିତ କରିବ। ଯଦି ସଂକ୍ରମିତ ବ୍ୟକ୍ତି ବାହାରକୁ ବାହାରିବା ୭୫ ପ୍ରତିଶତ ହ୍ରାସ କରନ୍ତି, ତେବେ ସଂକ୍ରମିତଜଣକ ୩୦ଦିନରେ ୨.୫ଲୋକଙ୍କୁ ସଂକ୍ରମିତ କରିବ।