ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ପାକିସ୍ତାନ କ୍ୟାପଟେନ୍ ବାବର ଆଜାମ୍ ଭାରତର କ୍ୟାପଟେନ ବିରାଟ କୋହଲିଙ୍କ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛନ୍ତି ।ରବିବାର ଜିମ୍ବାୱେ ବିପକ୍ଷ ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ ମ୍ୟାଚ୍ରେ ବିଶ୍ବର ଦ୍ରୁତତମ ବ୍ୟାଟ୍ସମ୍ୟାନ୍ ଭାବେ ୨ହଜାର ରନ୍ ପୂରଣ କରିଛନ୍ତି। ବାବର ମାତ୍ର ୫୨ଟି ମ୍ୟାଚ୍ ଖେଳି ଏହି ରେକର୍ଡ ହାସଲ କରିପାରିଛନ୍ତି । ପୂର୍ବରୁ ଏହି ରେକର୍ଡ ବିରାଟ୍ଙ୍କ ନାମରେ ଥିଲା । ବିରାଟ୍ ୫୬ ଟି ମ୍ୟାଚ୍ ଖେଳି ୨ହଜାର ରନ୍ ସଂଗ୍ରହ କରିଥିଲେ । ତେବେ ଏହି ରେକର୍ଡର ତୃତୀୟ ସ୍ଥାନ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍ ଫିଞ୍ଚ୍ ୬୨ଟି ମ୍ୟାଚ୍ ଖେଳି ପୂରଣ କରିଥିବା ବେଳେ ପୂର୍ବତନ ନ୍ୟୁଜିଲାଣ୍ଡ ଅଧିନାୟକ ବ୍ରେଣ୍ଡନ୍ ମ୍ୟାକଲମ୍ ୬୬ଟି ମ୍ୟାଚ୍ରେ ଏହି ରନ୍ କରି ଚତୁର୍ଥ ସ୍ଥାନରେ ରହିଛନ୍ତି ।
ତେବେ କିଛି ଦିନ ପୂର୍ବରୁ ଆଇସିସି ଦିନିକିଆ ମାନ୍ୟତା ଶୀର୍ଷକୁ ଉନ୍ନୀତ ହୋଇ ବାବର୍, କୋହଲିଙ୍କ ଆଉ ଏକ ରେକର୍ଡ ଭାଙ୍ଗିଥିଲେ । ତେବେ କୋହଲି ଏବେ ମଧ୍ୟ ଟି-୨୦ରେ ମୋଟ ୩,୧୫୯ ରନ୍ ସଂଗ୍ରହ କରିଥିବାରୁ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି । ବାବର ୨,୦୩୫ ରନ୍ ସଂଗ୍ରହ କରି ଏହି ତାଲିକାର ଏକାଦଶ ସ୍ଥାନରେ ରହିଛନ୍ତି ।