ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଭାରତର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ୍ ଏନ.ଭି. ରମଣ ।୪୮ତମ ପ୍ରଧାନ ବିଚାରପତି ଭାବେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଶପଥ ଗ୍ରହଣ କରାଇଛନ୍ତି । ତେବେ ତାଙ୍କ କାର୍ଯ୍ୟକାଳ ଅଗଷ୍ଟ ୨୬, ୨୦୨୨ରେ ସରିବ ।
ସେ ଫେବ୍ରୁଆରୀ ୧୭,୨୦୧୪ରେ ସୁପ୍ରିମ କୋର୍ଟରେ ନିଯୁକ୍ତି ପାଇଥିଲେ । ତେବେ ଏହା ପୂର୍ବରୁ ଜଷ୍ଟିସ୍ ରମଣ ଦିଲ୍ଲୀ ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।
ଏନ୍ଭି ରମଣ ଅଗଷ୍ଟ ୨୭, ୧୯୫୭ରେ ଆନ୍ଧ୍ର ପ୍ରଦେଶର କ୍ରିଷ୍ଣା ଜିଲ୍ଲାର ପୋନ୍ନଭରମ୍ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ୧୯୮୩ ମସିହା ଫେବ୍ରୁଆରୀ ମାସରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ଆଇନଜୀବୀ ଭାବେ ଜଷ୍ଟିସ୍ ରମଣ କାର୍ଯ୍ୟ ଆରମ୍ଭ କରିଥିଲେ । ଏଥିସହ ସେ ବିଭିନ୍ନ ସରକାରୀ ବିଭାଗ ଲାଗି ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି । ଫେବୃଆରୀ ୧୦,୧୯୮୩ରେ ସେ ଓକିଲ ଭାବେ ନିଯୁକ୍ତ ହୋଇଥିଲେ । ତେବେ ଏହା ପୂର୍ବରୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ଶରଦ ଅରବିନ୍ଦ ବୋବଡେ କାର୍ଯ୍ୟ କରୁଥିଲେ ।