ସନ୍ଷ୍ଟାର ଟିଭି ବ୍ୟୁରୋ
ମାଲକାନଗିରି: ବିଜାପୁର ମାଓ ହାମଲା ପରେ ସରକାର ଗତ ୧୯ ତାରିଖରେ ଏୟାର୍ଷ୍ଟ୍ରାଇକ୍ କରିଛନ୍ତି । ଏକଥା ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି (ଡି.କେ.ଜେ.ସି.ସି) ମୁଖପାତ୍ର ପ୍ରେସ୍ ନୋଟ୍ ଜାରି କରି ସୂଚନା ଦେଇଛନ୍ତି । ପ୍ରେସ୍ ନୋଟ୍ ସହିତ ଫଟୋ ଏବଂ ଭିଡିଓ ମଧ୍ୟ ପ୍ରମାଣ ଭାବରେ ଦେଇଛନ୍ତି ମାଓବାଦୀ ।
ତେବେ ମାଓବାଦୀଙ୍କ ସୂଚନା ଅନୁଯାୟୀ, ସରକାର ଡ୍ରୋନ୍ ସାହାଯ୍ୟରେ ବିଜାପୁର ଜଙ୍ଗଲରେ ମାଓବାଦୀଙ୍କ ଉପରକୁ ବୋମା ମାଡ କରିଛନ୍ତି । ମାଓ କ୍ୟାମ୍ପ ଉପରକୁ ପ୍ରାୟ ୧୨ଟି ବୋମା ମାଡ କରାଯାଇଛି । କିନ୍ତୁ ମାଓବାଦୀମାନେ କୌଶଳ କ୍ରମେ ସେଠାରେ ଖସି ଯିବାରୁ ସେମାନଙ୍କ କୌଣସି କ୍ଷତି ହୋଇନାହିଁ ।
ମାଓବାଦୀଙ୍କ କହିବା ଅନୁସାରେ ପାମେଡ୍ ପୋଲିସ ଷ୍ଟେସନ ବୋତ୍ତାଲାଙ୍କା ଏବଂ ପାଲାଗୁଡେମ ଗାଁରେ ଡ୍ରୋନ୍ ଆକ୍ରମଣ କରାଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଏଭଳି କରିବା ମାଓ ସଂଗଠନ ଦାବି କରିଛି । ତେବେ ଏପରି କରିବା ଦ୍ଵାରା ଆଦିବାସୀଙ୍କୁ ବହୁ ମାତ୍ରାରେ କ୍ଷତି ପହଞ୍ଚିବ ବୋଲି ମାଓ ସଂଗଠନ ଅଭିଯୋଗ କରିଛନ୍ତି ।