ସନ୍ଷ୍ଟାର ଟିଭି ବ୍ୟୁରୋ
ଆଜି ହେଉଛି ପବିତ୍ର ରାମନବମୀ । ଚୈତ୍ର ମାସ ଶୁକ୍ଳପକ୍ଷ ନବମୀ ତିଥିରେ ଅର୍ଥାତ୍ ଆଜିର ଦିନରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଜନ୍ମଗ୍ରହଣ କରିଥିଲେ । ରାମ ନବମୀ ଉପଲକ୍ଷେ ୯ ଦିନ ବ୍ୟାପୀ ଭଜନ କୀର୍ତ୍ତନ, ଅଖଣ୍ଡ ପାଠ କରାଯାଏ । ବିଶେଷ ଭାବେ ରାମଚରିତ ମାନସ ପାଠ କରାଯାଯାଇଥାଏ । ପବିତ୍ର ଶ୍ରୀରାମ ନବମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀରାମଙ୍କଙ୍କ ଜନ୍ମନୀତି ଅନୁଷ୍ଠିତ ହୋଇଥାଏ । ସ୍ୱୟଂ ପ୍ରଭୁ ଶ୍ରୀଜଗନ୍ନାଥ ମାତା ରୂପରେ ବିଳମ୍ବିତ ରାତ୍ରରେ ଶ୍ରୀରାମଙ୍କୁ ଜନ୍ମଦେବେ, ତେଣୁ ପ୍ରସବ ବେଦନାକୁ ଲାଘବ କରିବା ନିମନ୍ତେ ଅଷ୍ଟମୀ ଦିନ ସନ୍ଧ୍ୟାଧୂପ ପରେ ମହାପ୍ରଭୁଙ୍କୁ ଯେଉଡ଼ ଭୋଗ କରାଯିବା ସଙ୍ଗେ ସଙ୍ଗେ ଗର୍ଭଉଦକ ଦିଆଯାଏ । ନବମୀ ଦିନ ଠାକୁରମାନଙ୍କର ମଧ୍ୟାହ୍ନ ଧୂପ ନୀତି ଶେଷ ହେବା ପରେ ଜନ୍ମନୀତି ଅନୁଷ୍ଠିତ ହୋଇଥାଏ । ୨ଜଣ ମହାଜନ ସେବକ ଦଶରଥ ଓ କୌଶଲ୍ୟା ହୋଇ ଜନ୍ମବିଧି ପାଳନ ହୋଇଥାଏ । ଏହି ଗୁପ୍ତନୀତିକୁ କେହି ଯେପରି ଦେଖି ନ ପାରିବେ ସେଥିଲାଗି ଗର୍ଭଗୃହରେ ଥିବା ଜୟବିଜୟ ଦ୍ୱାରକୁ ବନ୍ଦ କରାଯାଇଥାଏ । ଶ୍ରୀରାମ ଜନ୍ମ ହେବା ପରେ କର୍ପୁର ଆଳତି ବନ୍ଦାପନା ହୋଇ ମହାସୁଆର ଗଣ୍ଡୁସ ମସଲା, କ୍ଷୀର ମଣୋହୀ କରାଯାଏ । ଏହା ପରେ ପଣ୍ଡା ଶୀତଳଭୋଗ କରାଇବା ସହ ମହାସୁଆର ଜୟବିଜୟ ଦ୍ୱାରଠାରେ ଚରୁଭାତ ମଣୋହୀ କରାଇଥାନ୍ତି ।
ତେବେ ଚଳିତ ବର୍ଷ କୋରନା ମହାମାରୀ ପାଇଁ ଫିକା ପଡିଛି ରାମ ନବମୀ । ମନ୍ଦିରକୁ ଯିବା ପାଇଁ ଲୋକମାନଙ୍କୁ ବାରଣ କରାଯାଇଛି । ଆଜିର ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
&
ପବିତ୍ର ରାମ ନବମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ମହାପ୍ରଭୁଙ୍କ ଅପାର କରୁଣାରୁ କରୋନା ସଙ୍କଟ ଶୀଘ୍ର ଦୂର ହେଉ। ଏହି ପବିତ୍ର ଅବସରରେ ମହାପ୍ରଭୁଙ୍କ ପାଖରେ ରାଜ୍ୟର ସମୃଦ୍ଧି ଓ ସମସ୍ତଙ୍କ ମଙ୍ଗଳମୟ ଜୀବନ କାମନା କରୁଛି। #RamNavami pic.twitter.com/Ncw6a601m7
— Naveen Patnaik (@Naveen_Odisha) April 21, 2021
;