ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ହାର ଦ୍ରୁତ ଗତିରେ ବଢିବାରେ ଲାଗିଛି । କିଛି ଦିନ ମଧ୍ୟ ରେ ୩୦୦୦ ଅତିକ୍ରମ କରିଛି ଦୈନିକ ସଂକ୍ରମଣ ହାର । ତେବେ ଏହାକୁ ରୋକିବା ପାଇଁ ରାଜ୍ୟରେ କଡା କରୋନା କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ଆଜିଠୁ ଛତିଶଗଡ ସୀମାନତ ୧୦ ଜିଲ୍ଲାରେ ଓ୍ଵିକେଣ୍ଡ ସଟ୍ଡାଉନ୍ ବା ସପ୍ତାହାନ୍ତ ସଟ୍ଡାଉନ୍ ଜାରି କରାଯାଇଛି । ଶନିବାର ଓ ରବିବାର ସଟ୍ଡାଉନ୍ ରହିବ ପୁରା ଅଞ୍ଚଳ । ସକାଳ ୬ରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ ହେବ । ତେବେ ଅନ୍ୟ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଜାରି କରାଯାଇଛି । ଏହି ୨୦ ଜିଲ୍ଲାର ପୌରାଂଚଳରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗିବ ।
ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ଲାଗି କଟକଣାକୁ କଡାକଡି କରିଛନ୍ତି ସରକାର । ପଡ଼ୋଶୀ ଛତିଶଗଡ଼ରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବାରୁ ଏହା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏହାକୁ ଦୃଷ୍ଟିରେ ରଖି ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାରେ ଆଜିିଠାରୁ ସଂଧ୍ୟା ୬ରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ ହେବ । ସେହିପରି ଏସବୁ ଜିଲ୍ଲାର ସହରାଞ୍ଚଳରେ ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ୍ ବି ଲାଗୁ ହେବ ।
ଏହି କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକ ସେବା ଯଥା, ବିଦ୍ୟୁତ, ଜଳ, ଗ୍ୟାସ୍, ଖାଦ୍ୟ ସାମଗ୍ରୀ ଓ ରନ୍ଧା ଖାଦ୍ୟ ଯୋଗାଉଥିବା କର୍ମଚାରୀମାନେ କାର୍ଯ୍ୟ କରିପାରିବେ । ସେଥିପାଇଁ ସେମାନେ ନିଜ ନିଜ ସଂସ୍ଥା ଦ୍ୱାରା ଦିଆଯାଇଥିବା ପରିଚୟ ପତ୍ର ପୁଲିସ କିମ୍ବା ଯାଞ୍ଚ କରୁଥିବା ଅଧିକାରୀଙ୍କୁ ଦେଖାଇବେ। ଏଥିପାଇଁ ସରକାରଙ୍କ ପକ୍ଷରୁ କୌଣସି ସ୍ୱତନ୍ତ୍ର ପାସ୍ ଦିଆଯିବ ନାହିଁ । ଏଥିସହ ରାତି କର୍ଫ୍ୟୁ ସମୟରେ ସମସ୍ତ ଜରୁରୀକାଳୀନ ସେବା ଓ ମାଲ୍ ପରିବହନ ଜାରି ରହିବ । ଜଳଯୋଗାଣ, ସ୍ୱାସ୍ଥ୍ୟସେବା, ବିଦ୍ୟୁତ୍ ସେବା, ଏଲ୍ପିଜି ଗ୍ୟାସ ବିତରଣ, ଟେଲିକମ, ଫୁଡ୍ ଡେଲିଭରି ସଂସ୍ଥା, ଆଇଟି କମ୍ପାନି, ନିର୍ମାଣ କାର୍ଯ୍ୟ, ଶିଳ୍ପାନୁଷ୍ଠାନ ସହ ଜଡ଼ିତ କର୍ମଚାରୀମାନେ ପରିଚୟପତ୍ର ଦେଖାଇ ଯାତାୟତ କରିପାରିବେ । ରେଳ ଷ୍ଟେସନ, ବିମାନବନ୍ଦର ଓ ବସଷ୍ଟାଣ୍ଡକୁ ଯାତ୍ରୀ ନେବା ଆଣିବା ପାଇଁ ଗାଡ଼ି ଯାଇପାରିବ । ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ କର୍ମଚାରୀମାନେ ନାଇଟ୍ କର୍ଫ୍ୟୁବେଳେ ଯାତାୟାତ କରିପାରିବେ ।