ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆଜି ଉତ୍ସବମୁଖର ହୋଇଉଠିଛି ଭୁବନେଶ୍ୱର । କାରଣ ରାଜଧାନୀ ପାଳୁଛି ନିଜର ୭୩ତମ ପ୍ରତିଷ୍ଠା ଦିବସ । ୧୯୪୮ ମସିହାର ଆଜିର ଦିନ ଅର୍ଥାତ୍ ଏପ୍ରିଲ ୧୩ ତାରିଖ ଦିନ ଓଡିଶାର ଐତିହ ପରମ୍ପରାକୁ ବହନ କରିଥିବା ମନ୍ଦିରମାଳିନୀ ସହର ଭୁବନେଶ୍ଵର ଓଡ଼ିଶାର ରାଜଧାନୀ ଭାବେ ପରିଚୟ ପାଇଥିଲା । ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଏହାର ଶିଳାନ୍ୟାସ କରିଥିଲେ । ଯାହା ଏବେବି ବିଧାନସଭା ସନ୍ନିକଟ ପାଚେରୀ ନିକଟରେ ଶୋଭା ପାଉଛି ।
ଏହି ନଗର ପାଖାପାଖି ଦୁଇହଜାର ବର୍ଷ ପୁରୁଣା । ୧୯୪୬ ମସିହାରେ, ଭୁବନେଶ୍ୱରକୁ ଏକ ମନହୋର ନଗରୀରେ ଗଢି ତୋଳିବାର ନକ୍ସା ପ୍ରସ୍ତୁତ କରିଥିଲେ ଜର୍ମାନୀର ସ୍ଥପତି ଓ ପ୍ଲାନର୍ ଅଟୋକଏନ୍ସ ବର୍ଗର । ସେତେବେଳେ ପ୍ରସ୍ତୁତ କରାଯାଇଥିବା ନକ୍ସା ଅନୁଯାୟୀ, ପ୍ରଥମ ଦଶ ବର୍ଷ ମଧ୍ୟରେ ଭୁବନେଶ୍ୱର ଜନସଂଖ୍ୟା ପନ୍ଦର ହଜାରରୁ ବଢି ଚାଳିଶ ହଜାର ଓ ସହରର କ୍ଷେତ୍ରଫଳ ଶହେ ବତିଶ ବର୍ଗ କିଲୋମିଟର ହେବ ବୋଲି ଆକଳନ କରାଯାଇଥିଲା । ଭୁବନେଶ୍ୱରରେ ଛଅଟି ୟୁନିଟ ଓ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଏକ ବିଜ୍ଞାପିତ ଅଞ୍ଚଳ ହେବା ମଧ୍ୟ ସେହି ନକ୍ସାରେ ଥିଲା । ଏହି ଯୋଜନାକୁ “ଓଡ଼ିଶା ସହର ଯୋଜନା ଆଇନ” ୧୯୫୬ ଅନୁସାରେ କାର୍ଯ୍ୟକାରି କରାଗଲା । ଭୁବନେଶ୍ୱର ପାଇଁ ଜଣେ “ବିଶେଷ ଯୋଜନା ଅଧିକାରୀ”ଙ୍କୁ ନିଯୁକ୍ତ କରାଗଲା । ଜନସଂଖ୍ୟା ବୃଦ୍ଧି ସହ ପରବର୍ତ୍ତୀ ସମୟରେ, ଭୁବନେଶ୍ୱରରେ ମୁନିସିପାଲିଟି ଗଠନ କରାଗଲା । ପରେ ଭୁବନେଶ୍ୱର ମୁନିସିପାଲିଟି ସହ ଖୋର୍ଦ୍ଦା, ଜଟଣୀ ବିଜ୍ଞାପିତ ଅଞ୍ଚଳକୁ ନେଇ “ଭୁବନେଶ୍ୱର ଆଞ୍ଚଳିକ ଉନ୍ନୟନ ସଂସ୍ଥା(ବ୍ରିଟ)” ଗଠନ କରାଗଲା । ପରବର୍ତ୍ତୀ ସମୟରେ, ଭୁବନେଶ୍ୱରରେ ମୁନିସିପାଲ କର୍ପୋରେସନ ଓ ସନ୍ନିକଟ ଗାଁଗୁଡିକୁ ନେଇ ଭୁବନେଶ୍ୱର ଉନ୍ନୟନ ସଂସ୍ଥା (ବିଡିଏ) ଗଠନ କରାଗଲା ।
ତେବେ ପୂର୍ବର ସେହି ଭୁବନେଶ୍ଵର ଓ ଏବେକାର ଭୁବନେଶ୍ଵର ମଧ୍ୟରେ ଅନେକ ପାର୍ଥକ୍ୟ ଦେଖାଯାଉଛି । ଜଙ୍ଗଲରେ ଆଚ୍ଛାଦିତ ଥିବା ପୂର୍ବର ସେହି ଭୁବନେଶ୍ଵର ଏବେ ବଡ ବଡ କୋଠାଘର ଓ ମଣିଷରେ ପରିପୂର୍ଣ୍ଣ । ଜୀବନ ଜିବୀକା ଓ ଆଧୁନିକ ଚାଲିଚଳଣୀର ପ୍ରମୁଖ ସ୍ଥାନ ପାଲଟିଛି ଭୁବନେଶ୍ଵର । ଏବେ ରାଜଧାନୀ ପାଲଟିଛି ‘ସ୍ମାର୍ଟ ସିଟି’ ।
ତେବେ ଚଳିତ ବର୍ଷ କୋଭିଡ୍ ମହାମାରୀ ପାଇଁ ନିରାଡମ୍ଵରରେ ପାଳନ କରାଯାଉଛି ରାଜଧାନୀ ପ୍ରତିଷ୍ଠା ଦିବସ । ବିଧାନସଭା ସମ୍ମୁଖରେ ଥିବା ରାଜଧାନୀ ପ୍ରତିଷ୍ଠା ଫଳକରେ ମାଲ୍ୟାର୍ପଣ କରିଛନ୍ତି ବାତସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ରାସ୍ତା ଘାଟ ଗୁଡିକୁ ରଙ୍ଗୀନ ଆଲୋକମାଳରେ ସଜାଯାଇଛି ।