ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: କରୋନା ସମୟରେ ପରୀକ୍ଷାକୁ ନେଇ ପରୀକ୍ଷାର୍ଥୀମାନ ବେଶ୍ ଦ୍ଵନ୍ଦ୍ଵରେ ରହିଛନ୍ତି । ଛାତ୍ରଛାତ୍ରୀମାନଙ୍କ ଏହି ଦ୍ଵନ୍ଦର ସମାଧାନ କରିବା ପାଇଁ ଆଜି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ପ୍ରତିକ୍ରିୟା ଦେଇଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ ଚଳିତ ବର୍ଷ ମାଟ୍ରିକ୍ ଓ ଯୁକ୍ତ ୨ ପରୀକ୍ଷା ତାରିଖ ଘୁଞ୍ଚିବ ନାହିଁ । ପୂର୍ବରୁ ଧାର୍ଯ୍ୟ ହୋଇଥିବା ତାରିଖରେ ହିଁ ପରୀକ୍ଷା କରାଯିବ। ମାଟ୍ରିକ୍ ଓ +୨ ପରୀକ୍ଷା ହେବା ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ ସେ କହିଛନ୍ତି । ତେବେ ନବମ ଶ୍ରେଣୀ ପରୀକ୍ଷା ହେବ କି ନାହିଁ, ସେନେଇ କିଛି ସ୍ଥିର ହୋଇନାହିଁ। ଯେହେତୁ ନବମ ଶ୍ରେଣୀ କ୍ଲାସ୍ ବନ୍ଦ ରହିଛି, ତେଣୁ ପରୀକ୍ଷା କଥା ସ୍ଥିର ହୋଇନାହିଁ ବୋଲି ଶ୍ରୀ ଦାସ କହିଛନ୍ତି ।
ସୂଚନାଯୋଗ୍ୟ, ଚଳିତ ବର୍ଷ ନିଜ ବିଦ୍ୟାଳୟରେ ମାଟ୍ରିକ୍ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ । ଏହାସହ ଅଢ଼େଇ ଘଣ୍ଟା ବଦଳରେ ୨ ଘଣ୍ଟା ରହିବ ପରୀକ୍ଷା ସମୟ । ଆବଶ୍ୟକ ପଡିଲେ ପରୀକ୍ଷା ପାଇଁ ଅଧିକ ପରୀକ୍ଷା କେନ୍ଦ୍ର କରାଯିବ । ତେବେ, ମେ’ ୩ ତାରିଖରୁ ମେ’ ୧୫ ତାରିଖ ପର୍ଯ୍ୟନ୍ତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ହେବାକୁ ଥିବା ବେଳେ ମେ ୧୮ରୁ ଜୁନ୍ ୧୨ ତାରିଖ ଯାଏ ଯୁକ୍ତ ୨ ପରୀକ୍ଷା ହେବ ।