ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହାର ବଢିବା ସମୟରେ କରୋନା ଟିକାର ମଧ୍ୟ ଅଭାବ ଦେଖାଯାଇଛି । ଆବଶ୍ୟକ ପରିମାଣର ଟିକାର ଅଭାବ ଯୋଗୁ ଗତକାଲି ସୁଦ୍ଧା ୪୦୦ ଟିକାକରଣ କେନ୍ଦ୍ର ବନ୍ଦ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୭୦୦ରେ ପହଞ୍ଚିଛି । ତେବେ ଆଉ ୨ ଦିନ ଭିତରେ କେନ୍ଦ୍ର ଟିକା ନଦେଲେ ପୁରା ଟିକାକରଣ ପ୍ରକ୍ରିୟା ପ୍ରଭାବିତ ହେବାର ସମ୍ଭାବନା ରହିଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ବୁଧବାର ୧,୧୦,୮୮୯ ଡୋଜ ଟିକା ଦିଆଯାଇଛି । ଆଉ ୪,୩୫,୩୨୦ ଡୋଜ କୋଭିସିଲଡ଼ ଟିକା ରହିଛି । ୧,୧୪,୪୯୦ ଡୋଜ କୋଭାକ୍ସିନ ଟିକା ଏବେ ମହଜୁଦ ଅଛି । ଟିକାଦାନର ଯେଉଁ ଲକ୍ଷ୍ୟ ଧାର୍ଯ୍ୟ ରହିଛି ତାହା ୨ ଦିନ ଭିତରେ ସରିଯିବ । ୧୦ ଦିନ ପାଇଁ ୨୫ ଲକ୍ଷ ଟିକାର ଆବଶ୍ୟକତା ରହିଛି । ସେହିପରି ବୁଧବାର ୭୦୦ ଟିକାକରଣ କେନ୍ଦ୍ର ବନ୍ଦ ହୋଇଯାଇଛି । କୋରାପୁଟ ଜିଲ୍ଲାରେ ଗତକାଲି ଟିକାକରଣ ସମ୍ପୂର୍ଣ ବନ୍ଦ ଥିଲା । ସରକାରୀ ଓ ବେସରକାରୀ ସମସ୍ତ ଜାଗାରେ ୧୧ ତାରିଖଠୁ କାର୍ଯ୍ୟସ୍ଥଳୀରେ ଟିକାକରଣ କେନ୍ଦ୍ର କରିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ରହିଛି ।