ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ସରକାରୀ ହାଇସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ମେଡିକାଲ ଓ ଇଂଜିନିୟରିଂ କଲେଜରେ ସରକାରୀ ଛାତ୍ରଛାତ୍ରୀଙ୍କ ପାଇଁ ରହିବ ୧୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା । ଏନେଇ ରାଜ୍ୟ ସରକାର ପୂର୍ବରୁ ଘୋଷଣା କରିଥିଲେ । ତେବେ ଆଜି ଦକ୍ଷତା କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି ।
ଏନେଇ ହାଇକୋର୍ଟର ପୂର୍ବତନ ବିଚାରପତି ଡକ୍ଟର ଏ.କେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜାନୁଆରୀ ୮ ତାରିଖରେ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ ହୋଇଥିଲା । ଏହି ସଂରକ୍ଷଣ ବ୍ୟବସ୍ଥା ଉଭୟ ସାଧାରଣ ବର୍ଗ ଓ ସରଂକ୍ଷିତ ବର୍ଗଙ୍କ କ୍ଷେତ୍ରରେ ସମାନଭାବରେ ଲାଗୁ ହେବ । ଓଡ଼ିଶା ପ୍ରଫେସନାଲ ଏଜୁକେସନ୍ ଆଇନ ୨୦୦୭ର ସେକ୍ସନ-୯ ଅନୁସାରେ ରାଜ୍ୟ ସରକାର ଏ ନେଇ ବିଜ୍ଞପ୍ତି କରିପାରିବେ ବୋଲି କମିଟି ସୁପାରିସ କରିଥିଲା । ସେହି ଅନୁସାରେ ଆଜି ଦକ୍ଷତା କୌଶଳ ବିକାଶ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି । ବିଜ୍ଞପ୍ତି ଅନୁସାରେ ୧୫ ପ୍ରତିଶତ ସଂରକ୍ଷଣ ସୁବିଧା ପାଇବାକୁ ଥିବା ଶିକ୍ଷାନୁଷ୍ଠାନଗୁଡିକ ହେଲେ ସରକାରୀ ହାଇସ୍କୁଲ, ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲ, ଉଚ୍ଚ ମାଧ୍ୟମିକ ସ୍କୁଲ, ଜୁନିଅର କଲେଜ ପ୍ରମୁଖ । ସେହିପରି ସଂରକ୍ଷଣ ସୁବିଧା ଥିବା ଡାକ୍ତରୀ ପାଠ୍ୟକ୍ରମରେ ଏମବିବିଏସ, ବିଡିଏସ, ବିଏଚଏମଏସ, ବିଏଏମଏସ, ବିଏସଏମଏସ, ବିୟୁଏମଏସ ସାମିଲ ରହିଛି । ଇଂଜିନିୟରିଂ କୋର୍ସରେ ବି.ଟେକ, ବି.ଇ, ଏବଂ ବି.ଆର୍କକୁ ସାମିଲ କରାଯାଇଛି । ସେହିପରି ବିଜ୍ଞପ୍ତିରେ କୁହାଯାଇଛି ଯେ, ଯଦି ୧୫ ପ୍ରତିଶତ ସିଟ ପୂରଣ ନହୁଏ ତେବେ ସେହି କ୍ଷେତ୍ରରେ ତାହା ଅନ୍ୟବର୍ଗର ଛାତ୍ରଛାତ୍ରୀଙ୍କୁ ଆବଣ୍ଟନ କରାଯାଇପାରିବ ।