ସନ୍ଷ୍ଟାର ଚିଭି ବ୍ୟୁରୋ
ନୂଆଦିଲ୍ଲୀ : ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଆଜି ଆୟୋଜିତ ହେଉଛି ବ୍ରିକ୍ସ ଶିଖର ସମ୍ମିଳନୀ । ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଆମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ୧୨ତମ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ । ତେବେ ଏହି ସମ୍ମିଳନୀର ଆୟୋଜନ ଭର୍ଚୁଆଲରେ ମାଧ୍ୟମରେ କରାଯିବ । ପୂର୍ବ ଲଦାଖର ଏଲ୍ଏସିରେ ତିକ୍ତତା ମଧ୍ୟରେ ବ୍ରିକ୍ସ ସମ୍ମିଳନୀରେ ଭର୍ଚୁଆଲ ମାଧ୍ୟମରେ ସାମ୍ନାସାମ୍ନି ହେବେ ନରେନ୍ଦ୍ର ମୋଦି ଓ ସି ଜିନ୍ପିଙ୍ଗ । ଶେଷ ଥର ପାଇଁ ସାଂଘାଇ ସହଯୋଗ ସଂଗଠନରେ ଉଭୟ ନେତାଙ୍କ ଭର୍ଚୁଆଲ ସାକ୍ଷାତ ହୋଇଥିଲା । ଋଷ ଦ୍ୱାରା ଆୟୋଜିତ ଦ୍ୱାଦଶ ବ୍ରିକ୍ସ ସମ୍ମିଳନୀରେ ୫ଟି ଦେଶ ଭାରତ, ଚୀନ୍, ବ୍ରାଜିଲ୍, ଋଷ ଏବଂ ଦକ୍ଷିଣ ଆଫ୍ରିକା ଯୋଗଦେବେ ।
ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ନିମନ୍ତ୍ରଣରେ ପିଏମ୍ ମୋଦି ଭର୍ଚୁଆଲ୍ ଶିଖର ସମ୍ମିଳନୀରେ ଯୋଗଦେବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଚଳିତ ବର୍ଷ ବ୍ରିକ୍ସ ସମ୍ମିଳନୀରେ ‘ଗ୍ଲୋବାଲ ଷ୍ଟାବିଲିଟି, ସେୟାର୍ଡ ସିକ୍ୟୁରିଟି ଏବଂ ଇନୋଭେଟିଭ୍ ଗ୍ରୋଥ୍ ଆଲୋଚନା କରାଯିବ ।
ଜାତିସଂଘର ୭୫ ତମ ବାର୍ଷିକୀ ଏବଂ କୋଭିଡ୍-୧୯ ମହାମାରୀ ମଧ୍ୟରେ ଆୟୋଜିତ ଦ୍ୱାଦଶ ଶିଖର ସମ୍ମିଳନୀରେ ନେତାମାନେ ବହୁମୁଖୀ ବ୍ୟବସ୍ଥାର ସଂସ୍କାର, ଆନ୍ତଃ-ବ୍ରିକ୍ସ ସହଯୋଗ ଏବଂ ବିଶ୍ୱ ପ୍ରସଙ୍ଗରେ ଆଲୋଚନା କରିବେ । ଏଥିସହ କରୋନା ମହାମାରୀକୁ ହ୍ରାସ କରିବା, ଆତଙ୍କବାଦ ମୁକାବିଲା, ବାଣିଜ୍ୟ, ସ୍ୱାସ୍ଥ୍ୟ, ଶକ୍ତି ଏବଂ ଲୋକଙ୍କ ସହଯୋଗ ଉପରେ ଆଲୋଚନା କରାଯିବା ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।