ସନଷ୍ଟାର ଟିଭି ବ୍ୟୁରୋ
ପୁନେ: ଆଜି ଅପରାହ୍ନ ୧.୩୦ ରେ ଆରମ୍ଭ ହେବାକୁ ଯାଉଛି ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜର ଦ୍ଵିତୀୟ ମ୍ୟାଚ୍ । ପ୍ରଥମ ମ୍ୟାଚରେ ମ୍ୟାଚ୍ ରେ ବିଜୟ ହାସଲ କରିବା ପରେ ବିରାଟଙ୍କ ଟିମ୍ ଇଣ୍ଡିଆର ନଜର ଏବେ ସିରିଜ ଉପରେ । ଆଜିର ମ୍ୟାଚ ଜିତିଲେ ଭାରତ ସିରିଜ କବ୍ଜା କରିନେବ। ତେବେ ଅନ୍ୟ ପଟରେ ଇଂଲଣ୍ଡ ପାଇଁ ଆଜିର ମ୍ୟାଚ୍ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି ।ଆଜିର ମ୍ୟାଚ ଏକ ରୋମଞ୍ଚକ ମ୍ୟାଚ୍ ହେବ ବୋଲି ଆଶା କରାଯାଉଛି ।
ପ୍ରଥମ ମ୍ୟାଚ୍ରେ ଇଂଲଣ୍ଡ ଏକ ବିଜୟ ସୁଯୋଗ ହାତଛଡ଼ା କରିଥିଲା । ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିବା ସତ୍ତ୍ୱେ ଇଂଲଣ୍ଡ ଜିତିବାରେ ବିଫଳ ହୋଇଥିଲା । ଓପନର ମାନେ ୧୩୫ ରନ୍ର ଭାଗିଦାରୀ ଗଠନ କରିବା ପରେ ମଧ୍ୟଭାଗ ବ୍ୟାଟ୍ସମ୍ୟାନମାନେ ବିଫଳ ହେବାରୁ ଇଂଲଣ୍ଡକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଶୁକ୍ରବାର ବ୍ୟାଟ୍ସମ୍ୟାନମାନେ ତ୍ରୁଟି ସୁଧାରିଲେ ଇଂଲଣ୍ଡ ବିଜୟ ହାସଲ କରିପାରିବ ।
ଭାରତୀୟ ଦଳର ପ୍ରମୁଖ ଖେଳାଳିମାନେ ଖୁବ୍ ଭଲ ଫର୍ମରେ ରହିଛନ୍ତି । ପ୍ରଥମ ମ୍ୟାଚ୍ରେ ଶିଖର ଧାୱନ, ବିରାଟ କୋହଲି, ଲୋକେଶ ରାହୁଲ ଓ କୃନାଲ୍ ପାଣ୍ଡ୍ୟା ଅର୍ଦ୍ଧଶତକ ଅର୍ଜନ କରଥିଲେ । ବୋଲରମାନେ ମଧ୍ୟ ଖୁବ ଭଲ ବୋଲିଂ କରିଥିଲେ । ଶ୍ରେୟାସ ଆୟର ଆହତ ହୋଇଥିବାରୁ ତାଙ୍କ ସ୍ଥାନରେ ରିଶଭ ପନ୍ତ କିମ୍ବା ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିବ । ଟି-ଟ୍ୱେଣ୍ଟିରେ ସୂର୍ଯ୍ୟକୁମାରଙ୍କ ପ୍ରଦର୍ଶନ ଚମତ୍କାର ରହିଥିଲା । ବୋଲିଂ ବିଭାଗରେ ପରିବର୍ତ୍ତନ ଆଶା କରାଯାଉଛି । କୁଲଦୀପ ଯାଦବଙ୍କ ସ୍ଥାନରେ ୟୁଝବେନ୍ଦ୍ର ଚହଲଙ୍କୁ ସୁଯୋଗ ମିଳିପାରେ ।
ଅନ୍ୟପଟେ ଇଂଲଣ୍ଡର ମୋର୍ଗାନ, ବିଲିଙ୍ଗ୍ସ ଆହତ ହୋଇଛନ୍ତି । ଇଂଲଣ୍ଡ ଦଳରେ ବଡ଼ ଧରଣର ପରିବର୍ତ୍ତନ ଆସିପାରେ । ଅଧିନାୟକ ଇୟନ ମୋର୍ଗାନ ଓ ସାମ ବିଲିଙ୍ଗ୍ସ ପ୍ରଥମ ଦିନିକିଆ ବେଳେ ଆହତ ହୋଇଥିଲେ । ମୋର୍ଗାନଙ୍କୁ ଶେଷ ୨ଟି ଯାକ ମ୍ୟାଚ୍ରୁ ବିଶ୍ରାମ ଦିଆଯାଇଛି । ବିଲିଙ୍ଗ୍ସ ତୃତୀୟ ଦିନିକିଆ ପୂର୍ବରୁ ଫିଟ୍ ହେବାର ସମ୍ଭାବନା ରହିଛି ।
ସମ୍ଭାବ୍ୟ ଭାରତୀୟ ଦଳ: ରୋହିତ ଶର୍ମା,ଶିଖର ଧାୱନ, ବିରାଟ କୋହଲି(ଅଧିନାୟକ), ସୂର୍ଯ୍ୟକୁମାର ଯାଦବ/ରିଶଭ ପନ୍ତ, ଲୋକେଶ ରାହୁଲ, କୃନାଲ ପାଣ୍ଡ୍ୟା, ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ସର୍ଦୁଲ ଠାକୁର, ୟୁଝବେନ୍ଦ୍ର ଚହଲ/କୁଲଦୀପ ଯାଦବ,ପ୍ରସିଦ୍ଧ କ୍ରିଷ୍ଣା ।
ସମ୍ଭାବ୍ୟ ଇଂଲଣ୍ଡ ଦଳ: ଜାସନ ରୟ, ଜନି ବେୟାରଷ୍ଟୋ, ବେନ ଷ୍ଟୋକ୍ସ, ଲାଏମ ଲିଭିଙ୍ଗଷ୍ଟୋନ୍, ଜୋସ ବଟଲର(ଅଧିନାୟକ), ଦାୱିଦ ମଲାନ, ମୋଇନ ଅଲି, ସାମ କୁରାନ, ଟମ କୁରାନ, ଆଦିଲ ରସିଦ,ମାର୍କ ଉଡ୍ ।