ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି କୁ ପରିଲକ୍ଷିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ କଟକଣା ଜାରି କରିଛନ୍ତି ।
ଏଣିକି ବିବାହ ଭଳି ସାମାଜିକ ଅନୁଷ୍ଠାନ ରେ ସର୍ବାଧିକ ୨୦୦ ଲୋକ ଓ ଅନ୍ତ୍ୟେଷ୍ଟି କ୍ରିୟାରେ ୫୦ ଜଣ ସାମିଲ ହୋଇ ପାରିବେ । ମାସ୍କ୍ ପରିଧାନ କରିବା ଓ ସାମାଜିକ ଦୂରତା ରକ୍ଷା କରିବା ଭଳି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ନିୟମ ୨୬ ମାର୍ଚ୍ଚ ରୁ ଲାଗୁ ହେବ ।
ଆଜି କରୋନା ସ୍ଥିତି ସମୀକ୍ଷା କରିବା ପାଇଁ ଆୟୋଜିତ ହୋଇଥିବା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଷ୍ପତି ନେଇଥିଲେ । ବ୍ୟାପକ ସଚେତନତା ଓ କୋଭିଡ୍ ଗାଇଡଲାଇନର କଠୋର ଅନୁପାଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟ ଶାସନସଚିବ ଏଣିକି ନିୟମିତ ସ୍ଥିତିର ସମୀକ୍ଷା କରିବେ । ଟେଷ୍ଟିଂ ଓ ସର୍ଭେଲାନ୍ସକୁ ବ୍ୟାପକ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ସଂକ୍ରମିତ ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ ସହ ଟେଷ୍ଟ-ଟ୍ରାକ୍-ଟ୍ରିଟ୍ ଉପରେ ଗୁରୁତ୍ୱ ଦିଆଯାଇଛି । କ୍ଲଷ୍ଟର କେସସ୍ ଚିହ୍ନଟ ହେଲେ ମିନି-କଣ୍ଟେନମେଣ୍ଟ ଜୋନ୍ କରିବାକୁ କୁହାଯାଇଛି । ସର୍ବସାଧାରଣ ସ୍ଥାନରେ କୋଭିଡ୍ ନିୟମ ପାଳନ ନେଇ ନଜର ରଖିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।