ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କିଛି ଦିନ ହେଲା ଭାରତରେ କରୋନା ମହାମାରୀ ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ତେବେ କରୋନାର ମୁକାବିଲା କରିବା ପାଇଁ ଦେଶରେ ଟୀକାକରଣ ଅଭିଯାନ ମଧ୍ୟ ଚାଲିଛି । ଦେଶରେ ଏପର୍ଯ୍ୟନ୍ତ ୪.୫ କୋଟିରୁ ଅଧିକ କରୋନା ଭ୍ୟାକସିନ୍ ଡୋଜ୍ ଦିଆଯାଇ ସାରିଛି। ଏହା ଭିତରେ କେନ୍ଦ୍ର ସରକାର ଆଜି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟକୁ କୋଭିଶିଲ୍ଡକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦେଶ ଦେଇଛନ୍ତି ।
ସରକାରଙ୍କ କହିବା ଅନୁସାରେ, ଏବେ କୋଭିଶିଲ୍ଡର ପ୍ରଥମ ଓ ଦ୍ବିତୀୟ ଡୋଜ୍ ଭିତରେ ପ୍ରାର୍ଥକ୍ୟକୁ ବଢାଇ ଦିଆଯାଇଛି। ଏହି ଅନ୍ତରକୁ ଏବେ ଅତି କମରେ ୬ ରୁ ୮ ସପ୍ତାହ କରିଦିଆଯାଇଛି। ଏହା ପୂର୍ବରୁ କୋଭିଶିଲ୍ଡର ଦ୍ବିତୀୟ ଡୋଜକୁ ୪ ରୁ ୬ ସପ୍ତାହରେ ଦିଆଯାଉଥିଲା। ଭ୍ୟାକସିନ୍ ଉପରେ ନ୍ୟାସନାଲ ଟେକ୍ନିକାଲ ଆଡଭାଇଜରୀ ଗ୍ରୁପ୍ ଅନ ଇମ୍ୟୁନାଇଜେସନ୍ ଓ ନ୍ୟାସନାଲ ଏକ୍ସପର୍ଟ ଗ୍ରୁପର ପରାମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଛି। ସରକାରଙ୍କ କହିବା ଅନୁସାରେ, ଏହି ନିଷ୍ପତ୍ତି କେବଳ କୋଭିଶିଲ୍ଡ ପାଇଁ ନିଆଯାଇଛି। କୋଭାକ୍ସିନ ଉପରେ ଏହା ଲାଗୁ ହେବନି।