ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆଗାମୀ ନିର୍ବାଚନ ପାଇଁ ବାଇକ ରାଲି ଉପରେ ନିଜେ ନିଷେଧାଦେଶ ଜାରି କରିଛନ୍ତି ନିର୍ବାଚନ କମିସନ। ମତଦାନ ଦିବସର ୭୨ ଘଣ୍ଟା ପୂର୍ବରୁ ବାଇକ୍ ରାଲି କରାଯିବ ନାହିଁ। ପୂର୍ବରୁ କେବଳ ମତଦାନ ଦିନ ବାଇକ୍ ରାଲି ବାରଣ ଥିଲା। ତେବେ, ଏସଂକ୍ରାନ୍ତରେ ଆଗତ ରିପୋର୍ଟ, ମତାମତ ଓ ପ୍ରସ୍ତାବଗୁଡିକ ଉପରେ ବିଚାର କରିବା ପରେ ଆଜି କମିସନ ନିଷ୍ପତ୍ତି ନେଇଛନ୍ତି ଯେ ମତଦାନ ଦିବସର ୭୨ ଘଣ୍ଟା ପୂର୍ବରୁ ମତଦାନ ହେବାକୁ ଥିବା ନିର୍ବାଚନ ମଣ୍ଡଳୀରେ କୌଣସି ସ୍ଥାନରେ ବାଇକ୍ ରାଲି ପାଇଁ ଅନୁମତି ଦିଆଯିବ ନାହିଁ।
ଆଗାମୀ ୨୭ ତାରିଖ ଠାରୁ ଅନୁଷ୍ଠିତ ହେବାକୁ ଥିବା ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଏବଂ ପୁଡୁଚେରିର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ଦିଆଯାଇଥିବା ଏକ ନିର୍ଦ୍ଦେଶନାମାରେ କମିସନ ଦର୍ଶାଇଛନ୍ତି ଯେ କେତେକ ସ୍ଥାନରେ ବାଇକ୍ ସମାଜ ବିରୋଧୀ ଉପାଦାନମାନଙ୍କ ଦ୍ୱାରା ବ୍ୟବହୃତ ହୁଏ। ତେଣୁ, ମତଦାନ ଦିନ କିମ୍ବା ମତଦାନର ଅବ୍ୟବହିତ ପୂର୍ବରୁ ବାଇକ୍ ରାଲି ନାମରେ ଭୋଟରଙ୍କୁ ଭୟଭୀତ କରାଯିବାର ଆଶଙ୍କା ଓ ସମ୍ଭାବନା ରହିଛି।ସେଥିପାଇଁ ବାଇକ୍ ରାଲିକୁ ବିରୋଧ କରି ଆସିଥିବା ରିପୋର୍ଟ ଓ ପ୍ରସ୍ତାବ ଉପରେ ବିଚାର କରିବା ପରେ କମିସନ ଏହି ନିଷ୍ପତ୍ତି ନେଇଛନ୍ତି ।