ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: କରୋନା ପାଇଁ ପୂର୍ବ ବର୍ଷ ଠୁ ସବୁ ପର୍ବପର୍ବାଣୀ ଫିକା ପଡ଼ିଛି । ଚଳିତ ବର୍ଷ ମଧ୍ୟ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ହୋଲି ଖେଳ ଉପରେ କଟକଣା ଜାରି ହୋଇଛି । ଭୁବନେଶ୍ୱର ମହାନଗର ଅଞ୍ଚଳରେ ଦୋଳ, ହୋଲି ପାଇଁ କଟକଣା ଲଗାଯାଇଥିବା ନେଇ ସୂଚନା ମିଳିଛି। ତେବେ କଟକଣା ସଂପର୍କରେ ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ବିସୃତ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସର୍ବସାଧାରଣ ସ୍ଥାନରେ ହୋଲି ପାଳନ କରାଯାଇ ପାରିବ ନାହିଁ। ଏହାସହ ଦୋଳ ମେଳଣ ଉପରେ କଟକଣା ଲାଗୁ କରାଯିବ। କେବଳ ଏତିକି ନୁହେଁ ବରଂ ପ୍ରତି ଠାକୁରଙ୍କ ପାଇଁ ୪/୫ ଜଣଙ୍କୁ ଅନୁମତି ମିଳିବ। କରୋନା ପୁଣି ଥରେ ବ୍ୟାପୁଥିବାରୁ ଗୋଟିଏ ସ୍ଥାନରେ ୬୦ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ଦିଆଯିବନି ବୋଲି କମିଶନର କହିଛନ୍ତି। ଏହାସହ ଭୁବନେଶ୍ୱରରେ କରୋନା ସ୍ଥିତି ଗମ୍ଭୀର ହୋଇନି, ନିୟନ୍ତ୍ରଣରେ ରହିଛି ବୋଲି କମିଶନର କହିଛନ୍ତି। ତେବେ କରୋନା ଗାଇଡଲାଇନ ନମାନିଲେ ସ୍ଥିତି ସଂଗୀନ ହୋଇପାରେ ବୋଲି ନିଜ ପ୍ରତିକ୍ରିୟା କହିଛନ୍ତି କମିଶନର।